ମୋଦୀଙ୍କୁ ଭେଟିଲେ ଶରଦ ପାୱାର, ସହଯୋଗ ମନ୍ତ୍ରାଳୟକୁ ନେଇ ଉଦ୍‌ବେଗ ଜଣାଇଲେ

ନୂଆଦିଲ୍ଲୀ: ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍‌ର ଆଲୋଚନା ହୋଇଛି। ‌ବୈଠକ ପରେ ଶରଦ ପାୱାର ଏକ ଟ୍ବିଟ୍‌ କରିଛନ୍ତି। ମୋଦୀ ଏବଂ ତାଙ୍କ ମଧ୍ୟରେ କୌଣସି ରାଜନୈତିକ ବିଷୟବସ୍ତୁକୁ ନେଇ ଆଲୋଚନା ହୋଇନାହିଁ ଏବଂ ରାଷ୍ଟ୍ରୀୟ ହିତ ଉଦ୍ଦେଶ୍ୟରେ ଆଲୋଚନା ହୋଇଥିବା ପାୱାର କହିଛନ୍ତି। ନୂଆ କରି ସୃଷ୍ଟି ହୋଇଥିବା ସହଯୋଗ ମନ୍ତ୍ରାଳୟ, ସମବାୟ ବ୍ୟାଙ୍କ ଗୁଡ଼ିକରେ କେନ୍ଦ୍ରର ହସ୍ତକ୍ଷେପ ଏବଂ ଚାଷୀ ପ୍ରସଙ୍ଗ‌ ଉପରେ ପାୱାର ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ପାୱାର କହିଛନ୍ତି, ସମବାୟ ବ୍ୟାଙ୍କ୍‌ର ସ୍ଥିତି ସୁରକ୍ଷିତ ରହିବା ଉଚିତ। ସମବାୟ ବ୍ୟାଙ୍କ୍‌ଗୁଡ଼ିକ ରାଜ୍ୟ ଅଧୀନରେ ଆସୁଛି। ଏଗୁଡ଼ିକ ରାଜ୍ୟ ବ୍ୟାପାର କିନ୍ତୁ ଏଥିରେ କେନ୍ଦ୍ରର ହସ୍ତ‌କ୍ଷେପ ସମ୍ବିଧାନର ଉଲ୍ଳଂଘନ କରୁଛି। ବ୍ୟାଙ୍କ୍‌ ରିଜୋଲ୍ୟୁସନ ଆଇନରେ ଅଣାଯାଇଥିବା ସଂ‌ଶୋଧନକୁ ଗତବର୍ଷ ସଂସଦରେ ସ୍ବିକୃତୀ ମିଳିଥିଲା।

ଏହାଦ୍ବାରା ସମବାୟ ବ୍ୟାଙ୍କ୍‌ ଗୁଡ଼ିକ ଆର୍‌ବିଆଇ (ରିଜର୍ଭ ବ୍ୟାଙ୍କ୍‌ ଇଣ୍ଡିଆ)ର ତତ୍ତ୍ବାବଧାନରେ ଆସୁଛି। ତେବେ ସମବାୟ ବ୍ୟାଙ୍କ୍‌ ଉପରେ ଆର୍‌ବିଆଇର ମାତ୍ରାଧିକ କ୍ଷମତା ଅସାମ୍ବିଧାନିକ ବୋଲି ପାୱାର କହିଛନ୍ତି। ଏହାବାଦ୍‌ କୃଷକଙ୍କ ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ୨ ଦିନ ପୂର୍ବରୁ ମୋଦୀ ଏବଂ ପାୱାରଙ୍କ ମଧ୍ୟରେ ଏହି ‌ବୈଠକ ହୋଇଛି।

ନୂଆ କରି ସୃଷ୍ଟି ହୋଇଥିବା ସହଯୋଗ ମନ୍ତ୍ରାଳୟ ପ୍ରସଙ୍ଗରେ ମଧ୍ୟ ପାୱାର ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ପାୱାର ମଧ୍ୟ ଏନେଇ ମୋଦୀଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି ଏବଂ ସହଯୋଗ ମନ୍ତ୍ରାଳୟ ସଂକ୍ରାନ୍ତରେ ଉଦ୍‌ବେଗ ପ୍ରକାଶ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ କୋଭିଡ୍‌ ସ୍ଥିତି ସଂକ୍ରାନ୍ତରେ ମଧ୍ୟ ମୋଦୀ ଏବଂ ପାୱାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ପାୱାର ମଧ୍ୟ ଗତକାଲି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଦ୍ବାରା ହୋଇଥିବା ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର