ନୂଆଦିଲ୍ଲୀ: ଶରଦ ପାଓ୍ଵାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନ୍ସିପି)କୁ ମିଳିଥିବା ‘ଜାତୀୟ ଦଳ’ ମାନ୍ୟତାର ସମୀକ୍ଷା କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। କମିଶନ ଆଜି ଦଳର ଏକ ଆବେଦନ ଉପରେ ଶୁଣାଣି କରିବେ, ଯେଉଁଥିରେ ଦଳର ନିଷ୍ପତ୍ତିର ସମୀକ୍ଷା କରାଯିବ। ସୂତ୍ରରୁ ପ୍ରକାଶ ଯେ ଏନସିପି ଆଉ ଜାତୀୟ ଦଳର ମାନ୍ୟତା ପାଇଁ ରହିଥିବା ଆବଶ୍ୟକତା ପୂରଣ କରୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି କୌଣସି ରାଜନୈତିକ ଦଳକୁ ୪ କିମ୍ବା ତା’ଠାରୁ ଅଧିକ ରାଜ୍ୟରେ ‘ସ୍ୱୀକୃତି’ ଦିଆଯାଏ କିମ୍ବା ଅତି କମ୍ରେ ୪ଟି ରାଜ୍ୟରେ ସଂପୃକ୍ତ ଦଳକୁ ଅତି କମ୍ରେ ୬ ପ୍ରତିଶତ ଭୋଟ୍ ମିଳେ; ତେବେ ତାକୁ ‘ଜାତୀୟ ଦଳ’ ଭାବେ ସ୍ୱୀକୃତି ମିଳିଥାଏ। ନଚେତ୍ ସଂପୃକ୍ତ ଦଳକୁ ୩ଟି ରାଜ୍ୟରୁ ଲୋକସଭାରେ ଅତି କମରେ ୨ ପ୍ରତିଶତ ଆସନ ଜିତିବା କିମ୍ବା ଗତ ଲୋକସଭା ନିର୍ବାଚନରେ ଅତି କମରେ ଦଳର ୪ ଜଣ ସାଂସଦ ରହିବା ଉଚିତ।
କୌଣସି ଦଳକୁ ଜାତୀୟ ଦଳର ମାନ୍ୟତା ମିଳିଲେ ତାକୁ ବହୁବିଧ ଫାଇଦା ମିଳିଥାଏ। ସେମାନେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଏକ ସାଧାରଣ ଦଳୀୟ ନିର୍ବାଚନୀ ଚିହ୍ନ ପାଆନ୍ତି, ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଦଳୀୟ କାର୍ଯ୍ୟାଳୟ ପାଇଁ ଘର ଏବଂ ସାର୍ବଜନୀନ ପ୍ରସାରଣ ସଂସ୍ଥାରେ ନିର୍ବାଚନ ସମୟରେ ମାଗଣା ଏୟାରଟାଇମ୍ ପାଇଥାନ୍ତି।
ତେବେ, ଏକ ରିପୋର୍ଟରୁ ପ୍ରକାଶ ମାୟାବତୀଙ୍କ ବିଏସପି ଓ ସିପିଆଇ ସହ ଶରଦ ପାଓ୍ଵାରଙ୍କ ଏନସିପି ନିଜର ଜାତୀୟ ଦଳର ମାନ୍ୟତା ହରାଇବାକୁ ଯାଉଛି। ୨୦୧୪ ଓ ୨୦୧୯ରେ ହୋଇଯାଇଥିବା ଦୁଇଟି ସଂସଦୀୟ ନିର୍ବାଚନ ପରେ ନିର୍ବାଚନ କମିଶନ ଏବେ ବିଭିନ୍ନ ରାଜନୈତିକ ଦଳଙ୍କ ସ୍ଥିତି ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ପରେ ସିପିଆଇ ଓ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) ସହିତ ଏନସିପିର ଜାତୀୟ ଦଳର ମାନ୍ୟତା ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟକୁ ସମୀକ୍ଷା ପାଇଁ ଆସିଥିଲା। କିନ୍ତୁ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନ ପୁଣି ଥରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ, ନିର୍ବାଚନ ପ୍ରତୀକ ବା ଚିହ୍ନ ନିୟମ ୧୯୬୮ ଅନୁଯାୟୀ ଜାତୀୟ ଦଳ ମାନ୍ୟତା ହରାଇବା ପରେ ଦଳର ସମଗ୍ର ଦେଶରେ ଗୋଟିଏ ଚିହ୍ନ ବ୍ୟବହାର କରି ନିର୍ବାଚନ ଲଢ଼ିବାର ଅଧିକାର ଦଳର ରହିବ ନାହିଁ।
ଏପରିସ୍ଥିତିରେ ଯଦି ଏନସିପିର ପ୍ରତିନିଧିତ୍ୱ ଗ୍ରହଣ କରା ନଯାଏ, ତେବେ ଦଳ କେବଳ ସେହି ରାଜ୍ୟରେ ନିଜର ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବ ଯେଉଁଠାରେ ଏହା ଏକ ରାଜ୍ୟ ଦଳ ଭାବରେ ସ୍ୱୀକୃତିପ୍ରାପ୍ତ।
ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନ ୨୦୧୬ରେ ‘ଜାତୀୟ ଦଳ’ ମାନ୍ୟତା ସମୀକ୍ଷା ପାଇଁ ନିୟମରେ ସଂଶୋଧନ କରିଥିଲେ, ଯେଉଁଥିରେ ୫ ବଦଳରେ ପ୍ରତି ୧୦ ବର୍ଷରେ ସମୀକ୍ଷା ହୋଇଥାଏ।