ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ତାଙ୍କ ପୁତୁରା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗତକାଲି ପୁନେରେ ଏକ ଗୋପନ ବୈଠକ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପୁନେର ଜଣେ ବ୍ୟବସାୟୀଙ୍କ ଘରେ ଦୁଇ ନେତା ପରସ୍ପରକୁ ଭେଟିଥିବା କୁହାଯାଉଛି। ଆଞ୍ଚଳିକ ନ୍ୟୁଜ ଚ୍ୟାନେଲଗୁଡ଼ିକରେ ଏ ନେଇ ଭିଜୁଆଲ ପ୍ରସାରଣ ହୋଇଛି। ଏଥିରେ ଦେଖିବାକୁ ମିଳିଛି କୋରେଗାଓଁ ପାର୍କ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ବାସଭବନରେ ଶରଦ ପାୱାର ଅପରାହ୍ଣ ପ୍ରାୟ ୧ଟା ବେଳେ ଆସି ପହଞ୍ଚିଛନ୍ତି। ଏଥିସହିତ ଅପରାହ୍ଣ ପ୍ରାୟ ୫ଟା ବେଳେ ସେ ସେହି ବାସଭବନ ଛାଡ଼ୁଛନ୍ତି। ଏହାପରେ ଅଜିତ ପାୱାର ସେହି ଘରୁ ଏକ କାର ଯୋଗେ ସନ୍ଧ୍ୟା ୬ଟା ୪୫ ମିନିଟରେ ବାହାରି ଯାଉଛନ୍ତି। ସେହି ସମୟରେ ସେ କ୍ୟାମେରାକୁ ଏଡ଼ାଇ ଯାଉଛନ୍ତି। ତେବେ ଏହା ଏକ ଗୋପନ ବୈଠକ ନଥିଲା ବୋଲି ରବିବାର ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ କହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ସେ ସଂପର୍କରେ ସେ ଜାଣିନାହାନ୍ତି ବୋଲି ପାଟିଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାଟିଲଙ୍କ ଭାଇଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରୁ ଏକ ନୋଟିସ ଆସିଛି। କେତେକ କମ୍ପାନି ସଂପର୍କରେ ସୂଚନା ଦେବାଲାଗି ଏଥିରେ କୁହାଯାଇଛି। ୪ ଦିନ ପୂର୍ବରୁ ପାଟିଲଙ୍କ ପାଇଁ ଇଡି କାର୍ଯ୍ୟାଳୟକୁ ଯାଇ ସମସ୍ତ ସୂଚନା ଦେଇଥିଲେ। ତେଣୁ ଗତକାଲିର ବୈଠକକୁ ଇଡି ନୋଟିସ ସହିତ ଯୋଡ଼ିବାକୁ ଠିକ୍ ହେବନାହିଁ ବୋଲି ଏନସିପି ନେତା କହିଛନ୍ତି। ଆଜି ସନ୍ଧ୍ୟାରେ ଶରଦ ପାୱାର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କର କିଛି ଶୁଭଚିନ୍ତକ ତାଙ୍କୁ ବିଜେପି ସହିତ ହାତ ମିଳାଇବାକୁ କହୁଛନ୍ତି। ତେବେ ଏନ୍ସିପିର ରାଜନୈତିକ ବିଚାରାଧାରା ସହିତ ବିଜେପି ଖାପ ଖାଉନାହିଁ ଏବଂ ଆମେ ହାତ ମିଳାଇବାର ପ୍ରଶ୍ନ ନାହିଁ ବୋଲି ପାୱାର କହିଛନ୍ତି।