ଏନ୍‌ସିପିରେ ବିଦ୍ରୋହ ପରେ ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ  : ପୁତୁରା ଅଜିତ ପାୱାର ସିନ୍ଦେ-ବିଜେପି ନେତୃତ୍ବାଧୀନ ସରକାରରେ ସାମିଲ ହେବାପରେ ସବୁଠୁ ବଡ଼ ରାଜନୈତିକ ଲଜ୍ଜାର ଶିକାର ହୋଇଥିବା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ସୋମବାର ଦିନ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ସମର୍ଥକମାନଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୁରୁ ପୂର୍ଣ୍ଣମୀ ଅବସରରେ ଶରଦ ପାୱାର ତାଙ୍କ ରାଜନୈତିକ ଗୁରୁ ତଥା ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଯଶୱନ୍ତରାଓ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସତାରା ଜିଲ୍ଲାରେ ଯଶୱନ୍ତରାଓଙ୍କ ସ୍ମାରକ ସ୍ଥଳରେ ପାୱାର ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ସମର୍ଥକମାନଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି।

ପାୱାର କହିଛନ୍ତି, ବିଜେପି ସମସ୍ତ ବିରୋଧୀ ଦଳଙ୍କୁ ଭାଙ୍ଗିଦେବା ପାଇଁ ଚେଷ୍ଟା କରିଛି। ବିଜେପି ସମାଜରେ ଭୟ ସୃଷ୍ଟି କରୁଛି। ଆଜି ମହାରାଷ୍ଟ୍ରରେ ଏବଂ ସମଗ୍ର ରାଷ୍ଟ୍ରରେ କିଛି ଗୋଷ୍ଠୀ ଦ୍ବାରା ଜାତି ଏବଂ ଧର୍ମ ଆଧାରରେ ସମାଜରେ ବିଭେଦ ସୃଷ୍ଟି ହୋଇଛି। ପାୱାର କହିଛନ୍ତି, ବିଦ୍ରୋହ ପୁଣିଥରେ ଫେରିବ। ଯେଉଁମ‌ାନେ ଏନ୍‌ସିପିକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି , ଆମେ ସେମାନଙ୍କୁ ସେମାନଙ୍କ ବାସ୍ତବ ଜାଗା ଦେଖାଇଦେବୁ। ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ମୋର ଲଢ଼େଇ ଆଜିଠାରୁ ଆରମ୍ଭ ହେଲା। ଏଭଳି ବିଦ୍ରୋହ ହୁଏ। ମୁଁ ପୁଣିଥରେ ଦଳକୁ ଗଢ଼ିବି ବୋଲି ପାୱାର କହିଛନ୍ତି।

ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶରଦ ପାୱାର କହିଛନ୍ତି, ଏନ୍‌ସିପିକୁ ସୁଦୃଢ଼ କରିବାପାଇଁ ‌ସେ ଏକ ରାଜ୍ୟବ୍ୟାପୀ ଯାତ୍ରା ଆରମ୍ଭ କରିଛନ୍ତି ଏବଂ ଦଳୀୟ କର୍ମୀଙ୍କ ମନୋବଳ ସୁଦୃଢ଼ କରୁଛନ୍ତି। ଶରଦ ପାୱାର କହିଛନ୍ତି, ଆମ ଲୋକମାନେ ବିଜେପିର ଷଡ଼ଯନ୍ତ୍ରରେ ଫସି ଯାଇଛନ୍ତି। ଶରଦ ପାୱାର ଆସନ୍ତା ଜୁଲାଇ ୫ ତାରିଖରେ ଦଳର ଏକ ବୈଠକ ଡାକିଛନ୍ତି।

ସମ୍ବନ୍ଧିତ ଖବର