ରାଜ୍ୟସଭା ସଦସ୍ୟତା ହରାଇଲେ ଶରଦ ଯାଦବ, ଅଲ୍ଲୀ ଅନଓ୍ଵାର

ପାଟନା: ଜନତା ଦଳ ୟୁନାଇଟେଡ୍‌ର ପୂର୍ବତନ ସଭାପତି ଶରଦ ଯାଦବ ଓ ଅଲ୍ଲୀ ଅନଓ୍ଵାରଙ୍କୁ ରାଜ୍ୟସଭାରେ ଅଯୋଗ୍ୟ ଘୋଷଣା କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଜନତା ଦଳ ୟୁନାଇଟେଡ୍‌ର ଏହି ଦୁଇ ବିଦ୍ରୋହୀ ନେତାଙ୍କ ସଭ୍ୟପଦ ଗତକାଲି ସନ୍ଧ୍ୟାରେ ରଦ୍ଦ କରିଛନ୍ତି।ଏ ନେଇ ଶ୍ରୀ ନାଇଡୁ ଉଭୟଙ୍କୁ ଅଯୋଗ୍ୟ ନୋଟିସ ଜାରି କରିଛନ୍ତି।
ଗତ ସେପ୍ଟେମ୍ବର ୨ ତାରିଖ ଦିନ ଜେଡି(ୟୁ) ସାଂସଦ ଆରସିପି ସିଂହ ଦଳବଦଳ ଆଇନ ଅନୁଯାୟୀ ଶ୍ରୀ ଯାଦବ ଓ ଅଲ୍ଲୀ ଅନଓ୍ଵାରଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।ଏ ପ୍ରସଙ୍ଗରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ତାଙ୍କ ନିର୍ଦ୍ଦେଶାନାମାରେ କହିଛନ୍ତି ଯେ ୨୦୧୬ ମସିହାରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶରଦ ଯାଦବ ଓ ଅଲ୍ଲୀ ଅନଓ୍ଵାର ଯେଉଁ ଜନତା ଦଳ (ୟୁ)ରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ସ୍ୱେଛାକୃତଭାବେ ସେହି ଦଳର ସଭ୍ୟପଦ ତ୍ୟାଗ କରିଛନ୍ତି। ନିର୍ବାଚନ କମିସନ୍‌ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠିତ ଜନତା ଦଳ (ୟୁ)କୁ ପ୍ରକୃତ ଦଳ ଭାବେ ସ୍ୱୀକୃତି ଦେବା ପରେ ଏହି ବିବାଦ ଦେଖା ଦେଇଥିଲା। ଶ୍ରୀ ନାଇଡୁ କହିଛନ୍ତି ଯେ ସମ୍ବିଧାନର ୧୦ ପରିଛଦରେ ଥିବା ପାରା ୨(୧, କ) ଅନୁଯାୟୀ ଉଭୟ ଶ୍ରୀ ଯାଦବ ଓ ଅଲ୍ଲୀ ଅନଓ୍ଵାରା ରାଜ୍ୟ ସଭାର ସଦସ୍ୟ ଭାବେ ରହିବାର ଯୋଗ୍ୟତା ହରାଇଛନ୍ତି।ତେଣୁ ତାଙ୍କ ସଭ୍ୟପଦ ତତ୍କାଳ ରଦ୍ଦ କରାଯାଉଛି।

photo credit- india today

ଜେଡି (ୟୁ) ମୁଖପାତ୍ର କେ ସି ତ୍ୟାଗୀ ତାମିଲନାଡୁର ୧୮ ଜଣ ବିଧାୟକଙ୍କ ସଭ୍ୟପଦ ଯେଉଁ ଭିତ୍ତିରେ ରଦ୍ଦ ହୋଇଥିଲା, ସେହି ଆଧାରରେ ଶ୍ରୀ ଯାଦବ ଓ ଅଲ୍ଲୀ ଅନଓ୍ଵାରଙ୍କ ସଭ୍ୟପଦ ରଦ୍ଦ ହୋଇଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସରେ ନୀତିଶ କୁମାର କଂଗ୍ରେସ ଓ ଆରଜେଡିର ହାତ ଛାଡ଼ି ବିଜେପି ସହିତ ମିଶି ବିହାରରେ ସରକାର ଗଠନ କରିବକୁ ଶରଦ ଯାଦବ ବିରୋଧ କରିଥିଲେ। ଏହା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ଶରଦ ଯାଦବଙ୍କୁ ଜେଡିୟୁ ସଂସଦୀୟ ଦଳର ନେତା ପଦରୁ ହଟାାଇ ଦଳର ମହାସଚିବ ତଥା ରାଜ୍ୟ ସଭା ସାଂସଦ ଆରସିପି ସିଂହଙ୍କୁ ନିଯୁକ୍ତି ଦେଇଥିଲେ।


ଏହି ପ୍ରସଙ୍ଗରେ ଜେଡିୟୁ ମୁଖପାତ୍ର ନୀରଜ କୁମାର ରାଜ୍ୟସଭା ସଚିବାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ଦଳର ସଂଖ୍ୟାଧିକ ସଭ୍ୟଙ୍କ ନିଷ୍ପତ୍ତି ବିରୋଧରେ ଯାଉଥିବା ଶରଦ ଯାଦବ ଓ ଅଲ୍ଲୀ ଅନଓ୍ଵାରଙ୍କ ପରି ନେତାମାନଙ୍କ ପାଇଁ େଏହା ଚେତାବନୀ ବୋଲି କହିଛନ୍ତି। ଲାଲୁ ଯାଦବ ଓ ଶରଦ ଯାଦବଙ୍କ ମଧ୍ୟରେ ଗତ ୫ ମାସ ହେବ ବଢ଼ୁଥିବା ସମ୍ପର୍କ ନେଇ ଶ୍ରୀ କୁମାର କହିଛନ୍ତି ଯେ ଶରଦ ଯାଦବ ଜଣେ ସମ୍ମାନିତ ବ୍ୟକ୍ତି। ମାତ୍ର ଗତ କିଛି ମାସ ହେବ ସେ ଯେପରି କାର୍ଯ୍ୟ କରୁଛନ୍ତି, ତାଙ୍କ୍କ ଅବଶିଷ୍ଟ ରାଜନୈତିକ ଜୀବନ ଲାଲୁ ଯାଦବ ପରିବାରଙ୍କ ମର୍ଜି ଉପରେ ନିର୍ଭର କରିବ ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର