ନୂଆଦିଲ୍ଲୀ: ଆଜି ମୁମ୍ବାଇଠାରେ ଅନୁଷ୍ଠିତ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁଜ ବନ୍ଦର (ଗ୍ରୀନ ପୋର୍ଟ) ଓ ସବୁଜ ଜାହାଜ ଚଳାଚଳ (ଗ୍ରୀନ ସିପିଙ୍ଗ ) ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକ ଅବସରରେ ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ଦକ୍ଷିଣ ମୁମ୍ବାଇର ଲୋକସଭା ସଦସ୍ୟ ଅରବିନ୍ଦ ସାୱନ୍ତ, ମୁମ୍ବାଇ-ଉତ୍ତର-ପୂର୍ବର ସାଂସଦ ମନୋଜ କୋଟାକ, କାକିନାଡାର ସାଂସଦ ଗୀତା ବିଶ୍ୱନାଥ ବଙ୍ଗା ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।
ଗ୍ରୀନ ସିପିଙ୍ଗ ଓ ଏମ୍ଭିଆଇ ଗ୍ରୀନ ସିପିଙ୍ଗ ୨୦୩୦ ଅନୁସାରେ ଦେଶର ସବୁ ପ୍ରମୁଖ ବନ୍ଦର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରୟାସ ଆରମ୍ଭ କରିଥିବା ବୈଠକରୁ ଜଣାପଡିଛି। ଜାହାଜ ଚଳାଚଳ କ୍ଷେତ୍ର ଓ ବନ୍ଦରରେ ପରିବେଶ ପ୍ରଦୂଷଣକାରୀ ଗ୍ୟାସ(ଗ୍ରୀନ ହାଉସ ଗ୍ୟାସ୍) ନିର୍ଗମନ ହ୍ରାସ କରିବାକୁ ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି। ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରକୁ ପ୍ରଦୂଷଣକାରୀ ଗ୍ୟାସ ଓ ଇନ୍ଧନରୁ ମୁକ୍ତ କରି ଏହାକୁ ସବୁଜ କରିବା ସହିତ ସମ୍ପୃକ୍ତ କାରବାରକୁ ଲାଭଦାୟକ ତଥା ନିରନ୍ତର କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ନିର୍ଦ୍ଧାରିତ ସମୟରେ ପୂରଣ କରିବାକୁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପ୍ରୟାସରେ ରହିଛି ‘ସୋର ଟୁ ସିପ୍ ପାୱାର’, ବିଦ୍ୟୁତ୍ ଚାଳିତ ଯନ୍ତ୍ରପାତି ବନ୍ଦରରେ ବ୍ୟବହାର କରିବା, ଏଲ୍ଏନ୍ଜି, ସିଏନ୍ଜି, ହାଇଡ୍ରୋଜେନ, ଆମୋନିଆ ଭଳି ବିକଳ୍ପ ସ୍ୱଚ୍ଛ ଇନ୍ଧନର ବ୍ୟବହାର ଓ ଭଣ୍ଡାର ସୁବିଧା ବୃଦ୍ଧି, ସୌର, ପବନ, ଜୁଆର ଶକ୍ତି ସଂଗ୍ରହ ତଥା ବ୍ୟବହାର ଇତ୍ୟାଦି। ଏସବୁ କାର୍ଯ୍ୟକ୍ରମ ଦେଶର ସମସ୍ତ ପ୍ରମୁଖ ବନ୍ଦରରେ ଆରମ୍ଭ ହୋଇଯାଇଛି।
ମନ୍ତ୍ରୀ ସୋନୋୱାଲ କହିଥିଲେ ଯେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଏହାର ପ୍ରତ୍ୟେକ ପ୍ରମୁଖ ବନ୍ଦରରେ ଆବଶ୍ୟକ ସମସ୍ତ ଶକ୍ତିର ୬୦% ଅକ୍ଷୟ ଶକ୍ତିରୁ ଉପଯୋଗ କରିବାକୁ ଚାହୁଛି। ଏବେ ତାହା ୧୦% ଭିତରେ ରହିଛି। ଆହୁରି ମଧ୍ୟ ବନ୍ଦରଗୁଡିକ ପଣ୍ୟ ପରିବହନ କାର୍ଯ୍ୟରେ ଟନ୍ ପିଛା କାର୍ବନ ନିର୍ଗମନକୁ ୨୦୩୦ ସୁଦ୍ଧା ୩୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ମାରିଟାଇମ୍ ଭିଜନ ଡକୁମେଣ୍ଟ-୨୦୩୦ରେ ଏକ ୧୦ ବର୍ଷିଆ ସହଣୀୟ ସବୁଜ ସାମୁଦ୍ରିକ କ୍ଷେତ୍ର ଓ ନୀଳ ଅର୍ଥନୀତିର ଖସଡା ପ୍ରସ୍ତୁତ କରାଯାଇଛି।
ମନ୍ତ୍ରୀ ଆହୁରି କହିଥିଲେ ଯେ, ଜାତୀୟ ହାଇଡ୍ରୋଜେନ ମିସନର ଲକ୍ଷ୍ୟ ଅନୁସାରେ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦେଶର ତିନିଟି ପ୍ରମୁଖ ବନ୍ଦର ଯଥା, ପାରାଦ୍ୱୀପ, ଦୀନଦୟାଲ ଓ ଭି.ଓ ଚିଦମ୍ବରମ୍ ବନ୍ଦରର ବିକାଶ ଘଟାଇ ସେଠାରେ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା କରିବ। ଏସବୁ ହବ୍ ୨୦୩୦ ସୁଦ୍ଧା ହାଇଡ୍ରୋଜେନର ଭଣ୍ଡାର, ଉତ୍ପାଦନ ଓ କାରବାର ପାଇଁ ସକ୍ଷମ ହେବେ।