ସରିଫଙ୍କ ଭାଇ ଜର୍ଦ୍ଦାରିଙ୍କୁ ହତ୍ୟା ଉଦ୍ୟମ କରିଥିଲେ!

ଲାହୋର: ପାକିସ୍ତାନର ପ୍ରାକ୍ତନ ରାଷ୍ଟ୍ରପତି ଆସିଫ୍‌ ଅଲି ଜର୍ଦ୍ଦାରିଙ୍କୁ ହତ୍ୟା କରିବା ଲାଗି ବହିଷ୍କୃତ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ ଏବଂ ତାଙ୍କ ଭାଇ ସେହବାଜ୍‌ ସରିଫ ଦୁଇ ଦୁଇ ଥର ଯୋଜନା କରିଥିଲେ। ଏପରି ଅଭିଯୋଗ ନିଜେ ଜର୍ଦ୍ଦାରି ହିଁ ଆଣିଛନ୍ତି। ଦୁର୍ନୀତି ଅଭିଯୋଗରେ ୮ବର୍ଷ କାଳ ଜେଲ୍‌ରେ ଥିବା ସମୟରେ ଜର୍ଦ୍ଦାରି ଏକ ମାମଲାର ଶୁଣାଣି ପାଇଁ ଅଦାଲତ ଯିବା ବାଟରେ ସରିଫ ଭ୍ରାତା ଦ୍ୱୟ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ବୋଲି ୬୨ ବର୍ଷୀୟ ଜର୍ଦ୍ଦାରି କହିଛନ୍ତି।

ନିଜ ଦଳୀୟ କର୍ମୀଙ୍କୁ ଆଜି ଉଦ୍‌ବୋଧନ ଦେଲା ବେଳେ ଜର୍ଦ୍ଦାରି କହିଛନ୍ତି ଯେ ନବେ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ ଏବଂ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ତାଙ୍କ ଭାଇ ସେହବାଜ୍‌ ସରିଫ୍‌ ଏପରି ହତ୍ୟା ଉଦ୍ୟମ କରିଥିଲେ। ଜର୍ଦ୍ଦାରିଙ୍କ ପତ୍ନୀ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବେନାଜିର ଭୁଟ୍ଟୋଙ୍କ ପ୍ରତି ମଧ୍ୟ ସରିଫ ଭ୍ରାତା ଦ୍ୱୟ ଖୁବ୍‌ ଅନ୍ୟାୟ କରିଥିଲେ। ତଥାପି ସେ ସବୁ କିଛି ଭୁଲି ଦେଶରେ ଗଣତନ୍ତ୍ର ଫେରାଇ ଆଣିବା ପାଇଁ ରାଜିନାମାରେ ସ୍ୱାକ୍ଷର କରିଥିଲେ। ମାତ୍ର ସରିଫ ତାଙ୍କୁ ଧୋକା ଦେଲେ ବୋଲି ଜର୍ଦ୍ଦାରି କହିଛନ୍ତି। ତେବେ ଆଗାମୀ ୨୦୧୮ ସାଧାରଣ ନିର୍ବାଚନ ପରେ ସରିଫଙ୍କ ଦଳ ସହ ତାଙ୍କ ଦଳ ମେଣ୍ଟ ନକରିବାକୁ ଜର୍ଦ୍ଦାରି କହିଛନ୍ତି। ଅପରପକ୍ଷେ, ସେନା ମୁଖ୍ୟଙ୍କ ସହ ଜର୍ଦ୍ଦାରି ଘନିଷ୍ଠତା ବଢ଼ାଇବାକୁ ଚାହୁଥିବାରୁ ସରିଫଙ୍କ ସହ ମେଣ୍ଟ କରିବେନି ବୋଲି ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର