ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର ଦାବି କରିଛନ୍ତି ଯେ ଚଳିତ ବର୍ଷ ସାମରିକ ସଂଘର୍ଷ ସମୟରେ ଭାରତର ୭ଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଛି। ଜାତିସଂଘ ସାଧାରଣ ଅଧିବେଶନରେ ଉଦ୍ବୋଧନ ଦେବା ଅବସରରେ ସରିଫ ଆଜି ତାଙ୍କ ଦେଶର ବାୟୁସେନାକୁ ପ୍ରଶଂସା କରି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଅନେକ ସମୟରେ ଭାରତର ୫ଟି ଯୁଦ୍ଧବିମାନ ଖସାଇଥିବା ଦାବି କରିଥିବା ବେଳେ ଭାର ତ ଏହାକୁ ଲଗାତାର ଖଣ୍ଡନ କରି ଆସିଛି। ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଅନେକ ସାମରିକ ବିଶେଷଜ୍ଞ ପାକିସ୍ତାନର ଦାବି କେବଳ ଏକ ଆସ୍ଫାଳନ ବୋଲି ମତ ଦେଇଛନ୍ତି।
ଶେହବାଜ ସରିଫ୍ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର କିଛି ସମୟ ପରେ ଜାତିସଂଘରେ ଉଦ୍ବୋଧନ ଦେଇଥିଲେ ଏବଂ ଟ୍ରମ୍ପଙ୍କ ମୁଖପାତ୍ର ପାଲଟିଯାଇଥିଲେ। ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆମେରିକା ରାଷ୍ଟ୍ରପତି ସକ୍ରିୟ ଭୂମିକା ନିର୍ବାହ କରିଥିଲେ ବୋଲି ସରିଫ୍ ତାଙ୍କ ଭାଷଣରେ ଦାବି କରିଥିଲେ। ୨୫ ମିନିଟ୍ର ଭାଷଣ ସମୟରେ ସରିଫ୍ ଟ୍ରମ୍ପଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ଦାବି କରିଛନ୍ତି। ଟ୍ରମ୍ପଙ୍କୁ ସରିଫ୍ ‘ଶାନ୍ତି ପୁରୁଷ’ ବୋଲି କହି ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହସିକ ନେତୃତ୍ବ ଯୋଗୁ ହିଁ ଅସ୍ତ୍ରବିରତି ପ୍ରସ୍ତାବରେ ପାକିସ୍ତାନ ରାଜି ହୋଇଥିଲା। ଅସ୍ତ୍ରବିରତିରେ ଟ୍ରମ୍ପ ଏବଂ ତାଙ୍କ ଟିମ୍ର ସକ୍ରିୟ ଭୂମିକା ପାଇଁ ଆମେ ସେମାନଙ୍କୁ ହୃଦୟରୁ ପ୍ରଶଂସା କରୁଛୁ, ଅନ୍ୟଥା କ’ଣ ଘଟିଲା ତାହା କହିବାପାଇଁ କିଏ ବଞ୍ଚିଥାନ୍ତା ବୋଲି ସେ କହିଛନ୍ତି। ବିଶ୍ବରେ ଶାନ୍ତିର ପ୍ରସାର ଦିଗରେ ଟ୍ରମ୍ପଙ୍କ ଅବଦାନ ପାଇଁ ପାକିସ୍ତାନ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରୁଛି ବୋଲି ସରିଫ୍ ତାଙ୍କ ଭାଷଣରେ କହିଛନ୍ତି। ଭାରତ ସହ ସଂଘର୍ଷ ସମୟରେ କୂଟନୈତିକ ସହଯୋଗ ପାଇଁ ସରିଫ୍ ଚୀନ୍, ତୁର୍କୀ, ସାଉଦି ଆରବ, କତର, ଅଜରବୈଜନ, ଇରାନ, ୟୁଏଇ ଏବଂ ଜାତିସଂଘ ମହାସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ପାକ୍ ସେନା ମୁଖ୍ୟ ଅସୀମ୍ ମୁନିର ଏବଂ ଅନ୍ୟ ପାକ୍ ଅତିଥିଙ୍କୁ ହ୍ବାଇଟ୍ ହାଉସ୍ରେ ଭେଟିଥିଲେ। କିନ୍ତୁ ସେମାନଙ୍କୁ ଏଥିପାଇଁ ଓଭାଲ୍ ଅଫିସ୍ ଲବିରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।