ନୂଆଦିଲ୍ଲୀ: ଶାର୍କ ଟ୍ୟାଙ୍କ ଇଣ୍ଡିଆକୁ ଆସି ଘରେ ଘରେ ଲୋକପ୍ରିୟ ହୋଇଥିବା ଶାର୍କ ଅଶନୀର ଗ୍ରୋଭର ଅନେକ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜର ବୟାନ ପାଇଁ ସେ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ-୨ରୁ ବାଦ୍ ପଡ଼ିଥିବା ବେଳେ ଏବେ ଏକ ସାକ୍ଷାତକାରରେ ଅଶନୀର ନିଜର ସଂଘର୍ଷ ବିଷୟରେ ଜଣାଇଛନ୍ତି। ଅଶନୀର ଓ ତାଙ୍କ ପତ୍ନୀ ମାଧୁରୀ ଜୈନ ଆରଜେ ଅନମୋଲ ଓ ଅଭିନେତ୍ରୀ ଅମୃତା ରାଓଙ୍କ ପଡ଼କାଷ୍ଟ ସୋ’ରେ ପହଞ୍ଚିଥିଲେ।

Advertisment

ଏହି ସମୟରେ ଅଶନୀର ଗ୍ରୋଭର ଏବଂ ମାଧୁରୀ ଜୈନ କହିଥିଲେ ଯେ କାମ ପାଇଁ ଆମେ ଦିଲ୍ଲୀରୁ ମୁମ୍ବାଇକୁ ଆସିବା ପରେ ବିବାହ ପରେ ମୁମ୍ବାଇରେ ଗୋଟିଏ ବିଏଚକେ ଫ୍ଲାଟରେ ରହୁଥିଲୁ। ଆମ ପାଖରେ ଟେବୁଲ ବି ନଥିଲା। ପ୍ରତି ମାସର ଦରମା ଆସିଲେ ଆମେ ଗୋଟିଏ ଗୋଟିଏ କାଠ ଜିନିଷ କିଣୁଥିଲୁ। ଏମିତି ବି ସମୟ ଥିଲା, ଯେତେବେଳେ ଆମେ ତଳେ ବସି ଖାଉଥିଲୁ। ଆମ ଘରେ ଗୋଟିଏ ଗାଧୁଆ ଘର ଥିଲା। ଦୁହେଁ କାମ କରୁଥିବାରୁ ଦୁହିଁଙ୍କ ଅଫିସ ଯିବା ସମୟ ସମାନ ରହୁଥିଲା। ଏହି କାରଣରୁ ଆମେ ଏକା ସାଙ୍ଗରେ ସ୍ନାନ କରୁଥିଲୁ।

ଉ‌ଲ୍ଲେଖଯୋଗ୍ୟ, ଗତବର୍ଷ ଅଶନୀରଙ୍କ ଉପରେ ଗମ୍ଭୀର ଆରୋପ ଲାଗିଥିଲା। ଭାରତ ପେ’ କମ୍ପାନିର ପୂର୍ବତନ କର୍ମଚାରୀ କହିଥିଲେ ଯେ, ଅଶନୀର ଏବଂ ତାଙ୍କ ପତ୍ନୀ ମାଧୁରୀ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଭଲପାଉଥିଲେ। ସେ ଏକ ନୂତନ ପେଣ୍ଟହାଉସ୍ ଭଡାରେ ନେବା ସହ ଏକ ବିଳାସପୂର୍ଣ୍ଣ ଘରର ନବୀକରଣ କରିଥିଲେ। ଏହା ବ୍ୟତୀତ ସେ ଏକ ପୋର୍ସେ କାର୍ ମଧ୍ୟ କିଣିଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ଅଶନୀରଙ୍କ ଉପରେ ଭାରତ ପେ’ ଟଙ୍କା ଚୋରି କରିବାର ଆରୋପ ଲଗାଇଥିଲା।