ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସମେତ ୨୬ଟି ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ନୂଆ ମେଣ୍ଟ ଗଠନ କରିବାକୁ ନେଇ କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ବୁଧବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ନାମକରଣର ଆବଶ୍ୟକତାକୁ ନେଇ ସେ ନିଜ ଦଳ ତଥା ମେଣ୍ଟଭୁକ୍ତ ୨୫ଟି ଦଳକୁ ପ୍ରଶ୍ନ କରିଛନ୍ତି। ଯେକୌଣସି ବ୍ୟକ୍ତି ବା ସଂସ୍ଥାଠାରୁ ଦେଶ ବଡ଼ ବୋଲି ସେ କହିଛନ୍ତି।

Advertisment

ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଟ୍ବିଟ୍ କରି କହିଛନ୍ତି, ‘ଇ-ଣ୍ଡି-ଆ’ ହେଉଛି କ୍ରିଏଟିଭ୍ ଓ ପ୍ରୋଭୋକେଟିଭ୍ (ସର୍ଜନାତ୍ମକ ଓ ଉତ୍ତେଜକ)! କିନ୍ତୁ ଯଦି ମେଣ୍ଟ ବିଫଳ ହୁଏ ବା ବିଭାଜିତ ହୁଏ, ତେବେ କ’ଣ ହେବ? ଖବର ପ୍ରକାଶ ପାଇବ- ‘ଇଣ୍ଡିଆ’ ବିଫଳ ହେଲା, ‘ଇଣ୍ଡିଆ’ ଭାଙ୍ଗିଗଲା। ସେ ପୁଣି ଲେଖିଛନ୍ତି, କୌଣସି ନିର୍ବାଚନୀ ମେଣ୍ଟ, ଦଳ ବା ନେତାଙ୍କ ନାମ ଦେଶର ନାମ ସହ ସମାନ ହେବା ଉଚିତ ନୁହେଁ- ଆକ୍ଷରିକ ଭାବରେ ନୁହେଁ କିମ୍ବା ଲାକ୍ଷଣିକ ବା ରୂପକାତ୍ମକ ଭାବରେ ନୁହେଁ! ଆମର ଦେଶ ଯେକୌଣସି ବ୍ୟକ୍ତି ବା ସଂସ୍ଥାଠାରୁ ଢେର ବଡ଼ ବୋଲି ସେ କହିଛନ୍ତି।