ଶଶି ଥରୁର, ୬ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଏଡିଟର୍ସ ଗିଲ୍‌ଡର ନିନ୍ଦା

ନୂଆଦିଲ୍ଲୀ : ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ଦେଖାଦେଇଥିବା ହିଂସା ପରିପ୍ରେକ୍ଷୀରେ ଭୁଲ୍‌ ଖବର ପରିବେଷଣ କରି ଉତ୍ତେଜନା ବଢ଼ାଇଥିବା ଅଭିଯୋଗରେ କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଏକାଧିକ ପୁଲିସ ମାମଲା ରୁଜୁ ହୋଇଛି। ସେମାନେ ସମସ୍ତେ ଦେଶଦ୍ରୋହ ମାମଲା ସମେତ ଅପରାଧିକ ଷଡ଼ଯନ୍ତ୍ର ଓ ହିଂସାଭାବ ପ୍ରୋତ୍ସାହନ ଆଦି ମାମଲାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି। ସଂପୃକ୍ତ ସାମ୍ବାଦିକମାନେ ହେଲେ ରାଜଦୀପ ସରଦେଶାଇ, ମୃଣାଳ ପାଣ୍ଡେ, ବିନୋଦ ଜୋସ୍‌, ଜାଫର ଆଘା, ପରେଶ ନାଥ ଓ ଅନନ୍ତ ନାଥ। ସେହି ସବୁ ମାମଲା ମଧ୍ୟରୁ ପ୍ରଥମଟି ଉତ୍ତରପ୍ରଦେଶର ନୋଏଡ଼ାରେ ରୁଜୁ ହୋଇଥିବା ବେଳେ ଅନ୍ୟଗୁଡ଼ିକ ମଧ୍ୟପ୍ରଦେଶର ଭୋପାଳ, ହୋସାଙ୍ଗାବାଦ, ମୁଲତାଇ ଓ ବିଟୁଲ୍‌ରେ ରୁଜୁ ହୋଇଥିବା ଜଣାଯାଇଛି। ତେବେ ସାମ୍ବାଦିକଙ୍କ ବିରୋଧରେ ଏପରି ପୁଲିସ ମାମଲା ରୁଜୁ ହେବାକୁ ଏଡ଼ିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ ଦୃଢ଼ ନିନ୍ଦା କରିଛି। ସାମ୍ବାଦିକମାନେ ନିଜେ ପାଇଥିବା ତଥ୍ୟ ଆଧାରରେ ଟ୍ବିଟ୍‌ କରିବାରେ ଭୁଲ୍‌ କେଉଁଠି ରହିଲା ବୋଲି ଗିଲ୍‌ଡ ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର