ଶଶି ଥରୁର ଓ ୬ ଜଣ ସାମ୍ବାଦିକଙ୍କୁ ବର୍ତ୍ତମାନ ପାଇଁ ଗିରଫ କରାଯାଇ ପାରିବ ନାହିଁ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ଦିନ ଚାଷୀଙ୍କ ଟ୍ରାକ୍ଟର ରାଲି ହିଂସା ଘଟଣାରେ କଂଗ୍ରେସ ସାଂସଦ ଶଶି ଥରୁର ଏବଂ ଅନ୍ୟ ୬ ଜଣ ସାମ୍ବାଦିକଙ୍କୁ ବର୍ତ୍ତମାନ ପାଇଁ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହ ଆସନ୍ତା ଦୁଇ ସପ୍ତାହ ପରେ ଏହି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏସ୍‌ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଆମେ ବିଜ୍ଞପ୍ତି ଜାରି କରୁଛୁ … କିଛି ଘଟିବ ନାହିଁ। ସାମ୍ବାଦିକ ରାଜଦୀପ ସରଦେଶାଇ, ମୃଣାଲ ପାଣ୍ଡେ, ଜାଫର ଆଗା, ବିନୋଦ କେ ଜୋସେ, ପରେଶ ନାଥ, ଏବଂ ଅନନ୍ତ ନାଥଙ୍କ ସହିତ ଶ୍ରୀ ଥରୁରଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକା ଉପରେ ଆଜି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ।

HwNews

ଉଲ୍ଲେଖଯୋଗ୍ୟ, ଦେଶଦ୍ରୋହ, ଶତ୍ରୁତାକୁ ପ୍ରୋତ୍ସାହନ ଏବଂ ଅପରାଧିକ ଷଡଯନ୍ତ୍ର ସହ ଜଡିତ ଆଇନ ଅନୁଯାୟୀ ସମସ୍ତଙ୍କୁ ସେମାନଙ୍କ ଟୁଇଟ୍‌ ପାଇଁ ଦୋଷୀ ବୋଲି ଦର୍ଶା ଯାଇଥିଲା। ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ ଟ୍ରାକ୍ଟର ସମାବେଶରେ ଦିଲ୍ଲୀ ପୁଲିସ ଜଣେ କୃଷକଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ମିଥ୍ୟା, ବିଭ୍ରାନ୍ତିକର ଟୁଇଟ୍‌ ପୋଷ୍ଟ କରିଥିବା ଅଭିଯୋଗରେ ଏମାନଙ୍କୁ ଦୋଷୀ ବୋଲି ଦର୍ଶାଇଥିଲା ଦିଲ୍ଲୀ ପୁଲିସ୍‌। ଏହାଛଡ଼ା ଏମାନଙ୍କ ବିରୋଧରେ ପାଞ୍ଚଟି ରାଜ୍ୟ: ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଏବଂ କର୍ଣ୍ଣାଟକରେ ମଧ୍ୟ ଏଫ୍‌ଆଇଆର ଆଗତ କରାଯାଇଥିଲା।

ସମ୍ବନ୍ଧିତ ଖବର