ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁର ଶୁକ୍ରବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଥରୁର କହିଛନ୍ତି, ଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାହୁଲ ଦୃଢ଼ ସ୍ବର ରଖିଛନ୍ତି ଏବଂ ସେ ଜଣେ ନିଷ୍ଠାପର ନେତା। ତିରୁଅନନ୍ତପୁରମ୍ ସାଂସଦ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ସମସ୍ତେ ପସନ୍ଦ କରନ୍ତି କାରଣ ସେ ଦେଶରେ ସାମ୍ପ୍ରଦାୟିତକା, ଘୃଣା ଓ ବିଭାଜନକାରୀ ରାଜନୀତି ବିରୋଧରେ ଦୃଢ଼ ସ୍ବର ରଖିଛନ୍ତି। 

Advertisment

ଉଲ୍ଲେଖଯୋଗ୍ୟ, ଶଶୀ ଥରୁର ଗତକାଲି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ପାଖାପାଖି ୨ ଘଣ୍ଟାର ବୈଠକ ପରେ କହିଥିଲେ ଯେ, ଦଳରେ ସବୁକିଛି ଠିକ୍‌ ଅଛି ଏବଂ ଆମେ ସମସ୍ତେ ଏକ। ଦଳ ସହ ବିଭେଦ କଥାକୁ ଥରୁର ଖଣ୍ଡନ କରିଛନ୍ତି। ରାହୁଲ ଓ ଖଡ଼ଗେଙ୍କୁ ‘ମୋର ୨ ନେତା’ ସମ୍ବୋଧନ କରିଥିବା ଥରୁର କହିଛନ୍ତି, ସେ କେବେ ବି କଂଗ୍ରେସ ଛାଡ଼ିବେ ନାହିଁ। ‘କୋଚି ମହାପଞ୍ଚାୟତ’ ପରେ ଆରମ୍ଭ ହୋଇଥିବା ବିବାଦ ଉପରେ ସେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଚେଷ୍ଟା କରିଛନ୍ତି। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଥରୁର ଦଳରେ ସବୁକିଛି ଠିକ୍‌ ଥିବା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଚଳିତ ଥର ସେ ୧୪୦ ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ଯୋଜନା କରିଥିବା କହିଛନ୍ତି।