ଭାରତରେ ରାଷ୍ଟ୍ରପତିକୈନ୍ଦ୍ରିକ ଶାସନ ଜରୁରୀ: ଶଶି ଥରୁର୍‌

ବ୍ୟବସ୍ଥା ବିଫଳ ନୁହେଁ, ଦୁର୍ବଳ କରାଯାଇଛି: କଂଗ୍ରେସ

ନୂଆଦିଲ୍ଲୀ: ସାମ୍ପ୍ରତିକ ସ୍ଥିତିରେ ଭାରତ ପାଇଁ ଏକ ରାଷ୍ଟ୍ରପତିକୈନ୍ଦ୍ରିକ ଶାସନର ଆବଶ୍ୟକତା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଟିପ୍ପଣୀ କରିଥିବା ବେଳେ ତାଙ୍କ କଂଗ୍ରେସ ଦଳ ତଥାପି ସଂସଦୀୟ ଶାସନ ଉପରେ ଭରସା ରଖିଛି ବୋଲି ସ୍ପଷ୍ଟ କରିଛି। ଦେଶରେ ଏହି ବ୍ୟବସ୍ଥା କେବେ ବିଫଳ ହୋଇନାହିଁ, ବରଂ ଏହାକୁ କିଛି ମାତ୍ରାରେ ଦୁର୍ବଳ କରିଦିଆଯାଇଛି ବୋଲି ଦଳର ଅନ୍ୟ ବରିଷ୍ଠ ନେତାମାନେ କହିଛନ୍ତି। କଂଗ୍ରେସ ପ୍ରଫେସନାଲ୍‌ ସେଲ୍‌ର ଅଧ୍ୟକ୍ଷ ତଥା କେରଳର ତିରୁବନନ୍ତପୁରମ୍‌ ସଂସଦୀୟ କ୍ଷେତ୍ରର ପ୍ରତିନିଧିତ୍ବ କରୁଥିବା ଶ୍ରୀ ଥରୁର୍‌ଙ୍କର ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ଏକ ଆଲେଖ୍ୟ ଅନୁଯାୟୀ, ରାଜନେତାମାନେ ଯେଭଳି ନିର୍ଲଜ ଢଙ୍ଗରେ ଦଳବଦଳ କରି ସରକାରଙ୍କୁ ଭାଙ୍ଗିବାରେ ସଫଳ ହେଉଛନ୍ତି, ଏହାର ସମାଧାନ କେବଳ ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ରାଷ୍ଟ୍ରପତିକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ରୂପାନ୍ତରିତ କରିବା। ଅପରପକ୍ଷେ, ସଂସଦୀୟ ଶାସନ ବ୍ୟବସ୍ଥା ଏପରି ବିଶେଷ କରି ଅଶିକ୍ଷିତ ରାଜନେତାମାନଙ୍କୁ ସୃଷ୍ଟି କରୁଛି, ଯେଉଁମାନେ ଦଳୀୟ ଆନୁଗତ୍ୟ ଭୁଲିଯାଇ ନିଜର ସ୍ବାର୍ଥ ପାଇଁ ଦଳବଦଳ ପାଇଁ ଆଗଭର ହୋଇପଡୁଛନ୍ତି। ସୁତରାଂ ଦେଶରେ ସଂସଦୀୟ ବ୍ୟବସ୍ଥା ବିଫଳ ହୋଇଛି ଏବଂ ରାଷ୍ଟ୍ରପତିକୈନ୍ଦ୍ରିକ ବ୍ୟବସ୍ଥା ପ୍ରଚଳନ ହେବାର ସମୟ ଉପନୀତ ବୋଲି ଶ୍ରୀ ଥରୁର୍ ମନ୍ତବ୍ୟ ରଖିଥିଲେ।

ତେବେ ତାଙ୍କର ଏଭଳି ମନ୍ତବ୍ୟକୁ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ନାପସନ୍ଦ କରିବା ସହ ଥରୁର୍‌ଙ୍କ ବିଚକ୍ଷଣତା ଏବଂ ତାଙ୍କ ପ୍ରସ୍ତାବର ସମୟକାଳ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା, ତ୍ରୁଟିପୂର୍ଣ୍ଣ ଶାସନ ପ୍ରକ୍ରିୟା ଯୋଗୁଁ ରାଜନୀତି ସଂସ୍କୃତିର ଅବକ୍ଷୟ ଘଟୁଛି। ସମ୍ପ୍ରତି ଦେଖାଦେଉଥିବା ରାଜନୈତିକ ସଂକଟ ପାଇଁ ବିଭିନ୍ନ ପ୍ରକାର ସାମାଜିକ-ରାଜନୈତିକ କାରଣ ଦାୟୀ। ଅପରପକ୍ଷେ, ଶିକ୍ଷିତମାନେ ଯେ କେବଳ ଉନ୍ନତ ବିଧାନ ଆଣିବାକୁ ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ଥରୁର କରିଥିବା ଟିପ୍ପଣୀକୁ ମଧ୍ୟ ଅନ୍ୟମାନେ ଗ୍ରହଣ କରିନାହାନ୍ତି। ଏକଛତ୍ରବାଦ ଶାସନ ବିରୋଧରେ ସଂସଦୀୟ ବ୍ୟବସ୍ଥା ଏକ କବଚ ସଦୃଶ ବୋଲି ଅନେକ ଅନୁଭବ କରୁଛନ୍ତି। ତେବେ ଶ୍ରୀ ଥରୁର୍ ଏଭଳି ମନୋଭାବ ପୋଷଣ କରିବା ଅର୍ଥ ପ୍ରଧାନନମନ୍ତ୍ରୀ ମୋଦୀଙ୍କ ଶଖିକଣ୍ଡେଇ ହୋଇ ନାଚିବା ସହ ସମାନ ବୋଲି ସେମାନେ କହିଛନ୍ତି। ଦେଶରେ ପ୍ରଚଳିତ ଶାସନ ପ୍ରଣାଳୀ କେବେ ବିଫଳ ହୋଇନାହିଁ, ବରଂ ଏହାକୁ ଦୁର୍ବଳ କରିଦିଆଯାଇଛି । ବର୍ତ୍ତମାନ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ କଥା ଚିନ୍ତା ନକରି ସଂସଦୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବାର ସମୟ ଆସିଛି ବୋଲି ଅନ୍ୟ କଂଗ୍ରେସ ନେତାଙ୍କ ବକ୍ତବ୍ୟକୁ ମୁଖପାତ୍ର ରଣଦୀପ ସୁର୍ଜେଵାଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର