ଜବାହରଲାଲ ନେହେରୁଙ୍କ ଫଟୋ ସେୟାର କରି ଦେବେନ୍ଦ୍ର ଫଡନବିସଙ୍କୁ ଆକ୍ଷେପ କଲେ ଶଶି ଥରୁର

ମୁମ୍ବାଇ: ମଙ୍ଗଳବାର ଅପରାହ୍ଣରେ  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏନସିପି ବିଧାୟକ ଦଳ ନେତା ଭାବେ ଅଜିତ ପାଓ୍ଵାର ସମସ୍ତ ଏନସିପି ବିଧାୟକଙ୍କ ସମର୍ଥନ ଆମକୁ ଦେଇଥିଲେ । ତାଙ୍କ ସମର୍ଥନ ଭିତ୍ତିରେ ଆମେ ସରକାର ଗଠନ କରିଥିଲୁ। କିନ୍ତୁ କିଛି ସମୟ ପୂର୍ବେ ଅଜିତ ଇସ୍ତଫା ଦେବା ପରେ ଆମ ପାଖରେ ଆବଶ୍ୟକ ସଂଖ୍ୟା ନ ଥିଲା ।

ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା‌ ସାଂସଦ ଶଶି ଥରୁର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋ ସେୟାର କରି ଦେବେନ୍ଦ୍ର ଫଡନବିସଙ୍କୁ ଆକ୍ଷେପ କରିଛନ୍ତି। ଶଶି ଥରୁର ନିଜର ଟୁଇଟର ହ୍ୟାଣ୍ଡେଲ୍‌ରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏଥିରେ ଗୋଟିଏ ପଟେ ଅଧରାତିରେ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଉଥିବା ଜବାହାର ଲାଲ ନେହେରୁଙ୍କ ଫଟୋ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ଦେବେନ୍ଦ୍ର ଫଡନବିସଙ୍କ ଫଟୋ।

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋ ତଳେ ଲେଖିଥିଲେ- ‘୧୯୭୪: ଅଧରାତିର ସମୟ, ଯେତେବେଳେ ସାରା ଦୁନିଆ ଶୋଇଥିଲା ଭାରତ ଜୀବନ ଓ ସ୍ୱତନ୍ତ୍ରତା ପାଇଁ ଜାଗିଥିଲା।’ ସେହିପରି ଦେବେନ୍ଦ୍ର ଫଡନବୀସଙ୍କ ଫଟୋ ତଳେ ଥରୁର ଲେଖିଛନ୍ତି-‘୨୦୧୯: ‘ଅଧରାତିର ସମୟ, ଯେମିତି ହିଁ ଭାରତ ଶୋଇ ପଡ଼ିଥିଲା। ଦୁନିଆ ଆମର ସ୍ୱାଧୀନତା ଉପରେ ଆକ୍ରମଣ କରିବା ପାଇଁ ଜାଗି ଉଠିଥିଲା।’

ସମ୍ବନ୍ଧିତ ଖବର