ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଉ ଅଧ୍ୟକ୍ଷ ପଦ ପାଇଁ ଅନ୍ୟ ଜଣେ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ଶଶି ଥରୁର ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି | ତେବେ ଏହାରି ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା ଯେ, ଏହି ନିର୍ବାଚନରୁ ଶଶି ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରନ୍ତି | ତେବେ ବର୍ତ୍ତମାନ, ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ଲଢ଼ିବେ ଏବଂ ନାମାଙ୍କନ ପ୍ରତ୍ୟାହାର କରିବେ ନାହିଁ । ଶଶି ଥରୁର ଏକ ଭିଡିଓରେ କହିଛନ୍ତି ଯେ ସେ ନାମାଙ୍କନ ପ୍ରତ୍ୟାହାର କରିବେ ବୋଲି ଯେଉଁ ସବୁ ଖବର ଆସୁଛି ସେସବୁ ଗୁଜବ | ଏଥିରେ କୌଣସି ସତ୍ୟତା ନାହିଁ | ମୁଁ ଚ୍ୟାଲେଞ୍ଜରୁ ଦୂରେଇ ଯାଏ ନାହିଁ। ମୁଁ ମୋ ଜୀବନରେ ଏହା କେବେ କରିନାହିଁ ଏବଂ କେବେବି କରିବି ନାହିଁ। ଏହା ଏକ ସଂଘର୍ଷ। ଏହା ଏକ ଏକ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଏବଂ ଶେଷ ପର୍ଯ୍ୟନ୍ତ ମୁଁ ଲଢେଇ କରିବି |
ସୂଚନା ଥାଉ କି ଯେ ଅକ୍ଟୋବର ୧୭ ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଆଉ ଏହି ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ | ଶଶି ନାଗପୁରରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବାବେଳେ ଏହା ବ୍ୟତୀତ ସେ କେରଳ, ତେଲେଙ୍ଗାନା ଏବଂ ତାମିଲନାଡୁରେ ମଧ୍ୟ ପ୍ରଚାର କରିଛନ୍ତି | କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଏମାନେ କେବଳ ଦୁଇଜଣ ପ୍ରାର୍ଥୀ ହୋଇଥିବାବେଳେ କେ.ଏନ୍ ତ୍ରିପାଠୀଙ୍କ ନାମାଙ୍କନ ଖାରଜ ହୋଇସାରିଛି।