ବାହାନଗାର ଦୁଃଖଦ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଇସ୍ତଫା ଦେବା ଉଚିତ ନା ନୁହେଁ ସେ ନେଇ ସାମାଜିକ ଗଣମାଧ୍ୟମରେ ବିତର୍କ ଚାଲିଛି। ନୈତିକତା ପ୍ରସଙ୍ଗ ଉଠାଉଥିବା ଅଧିକାଂଶ ଲୋକ କେବଳ ଲାଲ୍ ବାହଦୂର୍ ଶାସ୍ତ୍ରୀଙ୍କ ଉଦାହରଣ ଦେଉଥିବା ଦେଖାଯାଇଛି। ୧୯୫୬ରେ ରେଳମନ୍ତ୍ରୀ ଭାବେ ଶାସ୍ତ୍ରୀ ଦୁଇଥର ଇସ୍ତଫା ଦେଇଥିଲେ। ସେ ବର୍ଷ ଅଗଷ୍ଟରେ ଆନ୍ଧ୍ରର ଏକ ରେଳ ଦୁର୍ଘଟଣାରେ ୧୧୨ ଜଣଙ୍କ ମୃତ୍ୟୁ ଯୋଗୁଁ ସେ ଦେଇଥିବା ଇସ୍ତଫାକୁ ପ୍ରଧାନମନ୍ତ୍ରୀ ନେହରୁ ଗ୍ରହଣ କରିନଥିଲେ। ତେବେ ନଭେମ୍ବରରେ ତାମିଲନାଡ଼ୁରେ ଘଟିଥିବା ରେଳ ଦୁର୍ଘଟଣାରେ (୧୪୪ ଜଣଙ୍କ ପ୍ରାଣହାନୀ ଘଟିଥିଲା) ତାଙ୍କ ଜିଦ୍ ଆଗରେ ନେହରୁଙ୍କୁ ହାର୍ ମାନିବାକୁ ପଡ଼ିଥିଲା। ଶାସ୍ତ୍ରୀଙ୍କୁ ନେହରୁ ପ୍ରଶଂସାରେ ପୋତି ପକାଇଥିଲେ ହେଁ ସାମ୍ବିଧାନିକ ମର୍ଯ୍ୟାଦା ଦୃଷ୍ଟିରୁ ତାଙ୍କ ଇସ୍ତଫା ଗ୍ରହଣ କରୁଛନ୍ତି ବୋଲି ସଫେଇ ଦେଇଥିଲେ। ହେଲେ ସମସ୍ତେ ଚାହୁଥିଲେ ଶାସ୍ତ୍ରୀ ନିଜ ପଦବିରେ ରୁହନ୍ତୁ। ନେହରୁ କାହିଁକି ଶାସ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ, ସେ ନେଇ ତାଙ୍କୁ ଢେର୍ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ସେତେବେଳେ ନୈତିକତାର ସଂଜ୍ଞା ଭିନ୍ନ ଥିଲା ବୋଲି ଅନେକ ଅଶ୍ବିନୀ ବୈଷ୍ଣବ ପ୍ରକରଣରେ ମତ ଦେଉଛନ୍ତି। ତେବେ ଆଜକୁ ୨୪ ବର୍ଷ ପୂର୍ବେ ନୀତୀଶ କୁମାର ମଧ୍ୟ ଅନୁରୂପ ଉଦାହରଣ ରଖିବା ବେଶି ଆଲୋଚନା ହେଉନାହିଁ। ୧୯୯୯ରେ ବାଜପେୟୀ ମନ୍ତ୍ରିମଣ୍ଡଳରେ ପ୍ରଥମ ଦଫାର ରେଳମନ୍ତ୍ରୀ ଥିବାବେଳେ ପଶ୍ଚିମବଙ୍ଗର ଗାଇସାଲ ରେଳ ଦୁର୍ଘଟଣାରେ ଠିକ୍ ବାହାନଗା ଦୁର୍ଘଟଣା ପରି ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୪୧ ଘଣ୍ଟା ପରେ ଦୁର୍ଘଟଣାସ୍ଥଳରୁ ନୀତୀଶ ଇସ୍ତଫା ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ବାଜପେୟୀ ଅସନ୍ତୋଷ ପ୍ରକାଶ କରି ନିଷ୍ପତ୍ତିକୁ ‘ତରବରିଆ’ କହି ଏଥର ମଧ୍ୟ (ପୂର୍ବରୁ ଛୋଟବଡ଼ ଦୁର୍ଘଟଣାରେ ନୀତୀଶଙ୍କ ଇସ୍ତଫାକୁ ବାଜପେୟୀ ଗ୍ରହଣ କରି ନ ଥିଲେ) ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିବାକୁ ଚାହୁଥିଲେ। ହେଲେ ନୀତୀଶ ଦୁର୍ଘଟଣାକୁ ଏକ ଅପରାଧ ବୋଲି ଅବିହିତ କରି ଜିଦ୍ରେ ଅଟଳ ରହିଲେ। କ୍ୟାବିନେଟ୍ ବୈଠକକୁ ଗଲେନାହିଁ। ଦୁର୍ଘଟଣାର ପାଞ୍ଚଦିନ ପରେ ବାଜପେୟୀ ଶେଷରେ ନୀତୀଶଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ, ସଂପୃକ୍ତ ଜୋନ୍ର ଜିଏମ୍ଙ୍କୁ ଛୁଟିରେ ଯିବାକୁ କୁହାଯିବା ସହ ୫ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ହାତରେ ତଦନ୍ତ ଭାର ନ୍ୟସ୍ତ କରାଯାଇଥିଲା।