ମମତାଙ୍କ ହାତ ଛାଡିପାରନ୍ତି ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ଶତାବ୍ଦୀ ରାୟ!

କୋଲକାତା: ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଏହା ପୂର୍ବରୁ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଗଲେଣି | ପଶ୍ଚିମବଙ୍ଗର କିଛି ନେତା ଏବେ ଦଳବଦଳ କରୁଥିବାବେଳେ ତୃଣମୂଳ କଂଗ୍ରେସର ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇସାରିଛନ୍ତି | ଏବେ ଆଉ ଜଣେ ନେତ୍ରୀ ମଧ୍ୟ ତୃଣମୂଳ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି | ଏହି ନେତ୍ରୀଙ୍କ ନାମ ହେଉଛି ଶତାବ୍ଦୀ ରାୟ | ଶତାବ୍ଦୀ ବର୍ତ୍ତମାନ ତୃଣମୂଳ କଂଗ୍ରେସର ଜଣେ ସାଂସଦ ଥିବାବେଳେ ବଙ୍ଗଳା ସିନେମା ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି |

ତେବେ ଶତାବ୍ଦୀ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶତାବ୍ଦୀ ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ‘ଲୋକମାନେ ମୋତେ ପଚାରୁଛନ୍ତି ଯେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ କାହିଁକି ଉପସ୍ଥିତ ହେଉନାହିଁ? ମୁଁ ମୋ ଲୋକଙ୍କ ସହିତ ରହିବାକୁ ପସନ୍ଦ କରେ | କିନ୍ତୁ କିଛି ଅଛନ୍ତି ଯେଉଁମାନେ ଚାହାଁନ୍ତି ନାହିଁ ଯେ ମୁଁ ଆପଣମାନଙ୍କ ସହିତ ରହେ ‘ | ଟିଏମସି ସାଂସଦ ଭୋଟରଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ ଲେଖିଛନ୍ତି ଯେ ‘ଯଦି ମୁଁ କୌଣସି ନିଷ୍ପତ୍ତି ନିଏ, ତେବେ ମୁଁ ଜାନୁଆରୀ ୧୬ ରେ ଅପରାହ୍ନ ୨ ଟାରେ ଘୋଷଣା କରିବି। ଏହି ନୂତନ ବର୍ଷରେ, ମୁଁ ଏମିତି ଏକ ନିଷ୍ପତ୍ତି ନେବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ମୁଁ ଆପଣମାନଙ୍କ ସହିତ ସମ୍ପୂର୍ଣ୍ଣ ରହିବି’ |

ଏହି ପୋଷ୍ଟ ବାବଦରେ ବିସ୍ତୃତ ଭାବେ ଶତାବ୍ଦୀ କିଛି କହିନଥିଲେ ବି ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେ ଶତାବ୍ଦୀ ତୃଣମୂଳ କଂଗ୍ରେସ ଛାଡିପାରନ୍ତି | ସୂଚନା ଥାଉ କି ଶତାବ୍ଦୀ ରାୟ ୨୦୦୯ ମସିହାରୁ ଲଗାତାର ଭାବେ ବୀରଭୂମ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସର ସାଂସଦ ଭାବେ ରହିଆସିଛନ୍ତି |

ସମ୍ବନ୍ଧିତ ଖବର