ବିବାଦୀୟ ବକ୍ତବ୍ୟ ପାଇଁ ଶତ୍ରୁଘ୍ନ ପରିହାସର ଶିକାର

ନୂଆଦିଲ୍ଲୀ : ସୀମାରେ ଚୀନ୍ ସହ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମ୍ପର୍କରେ ବିବାଦୀୟ ବୟାନ ପାଇଁ ଶତ୍ରୁଘ୍ନ ସିହ୍ନାଙ୍କୁ ଟ୍ବିଟରରେ ଖୁବ୍ ପରିହାସର ଶିକାର ହେବାକୁ ପଡ଼ିଛି। ଭାରତ-ଚୀନ୍ ସୀମାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆମ ଦେଶବାସୀଙ୍କ ମନରେ କାହିଁକି ଅନ୍ତର୍ବିରୋଧ ରହିଛି ବୋଲି ଅଭିନେତାରୁ ରାଜନେତା ପାଲଟିଥିବା ଶ୍ରୀ ସିହ୍ନା ଟ୍ବିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଥିଲେ। ଏପରିକି ଭାରତ ଦ୍ବନ୍ଦ୍ବରେ ପଡ଼ିଛି ଏବଂ କେଉଁଟା ବିଶ୍ବାସ କରିବାକୁ ହେବ ଜାଣିହେଉନି ବୋଲି ମଧ୍ୟ ସେ ଟିପ୍ପଣୀ କରିଥିଲେ। ଏହା ପରେ ପରେ ଟ୍ବିଟରରେ ୭୪ ବର୍ଷୀୟ ଶତ୍ରୁଘ୍ନଙ୍କୁ ଅତି ନିର୍ମମ ଭାବେ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଜଣେ ଟ୍ବିଟର ଅନୁଗାମୀ ‘ତୁମେ ବ୍ୟସ୍ତ ହୁଅନାହିଁ, ତୁମକୁ ପ୍ରତ୍ୟାଖ୍ୟାନ କରିଥିବା ବିହାର ଲୋକଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ପୂରା ଭରସା ଅଛି। ତୁମେ ଏପରି ଟ୍ବିଟରରେ ଲେଖିବା ଅଭ୍ୟାସ ରଖି ଲୋକଙ୍କୁ ଆମୋଦିତ କର’ ବୋଲି ଲେଖିଛନ୍ତି। ସେହିପରି ଆଉ ଜଣେ ‘ତୁମେ ଆରାମ କର, ଆମ ଭିତରେ କିଛି ଅନ୍ତର୍ବିରୋଧ ନାହିଁ। ଆମ ସେନାବାହିନୀ ଓ ମୋଦୀ ସରକାର ଉପରେ ଆମର ପୂର୍ଣ୍ଣ ବିଶ୍ବାସ ରହିଛି ‘ ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର