ଟିଏମସିର ବିପୁଳ ବିଜୟ: ବିପୁଳ ଭୋଟ ପାଇ ବିଜୟୀ ହେଲେ ବିଜେପି ଛାଡ଼ି ଟିଏମସି ହାତ ଧରିଥିବା ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ

କୋଲକାତା: ଗୋଟିଏ ଲୋକସଭା ଏବଂ ୪ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ଗଣନା ପରେ ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଇତିହାସ ସୃଷ୍ଟି କରିଛି। ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି ବିଜେପି ଛାଡ଼ି ଟିଏମସି ହାତ ଧରିଥିବା ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ। ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ପ୍ରାୟ ୩.୭୫ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ବାଲିଗଞ୍ଜ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

ଦୁଇ ତୁଙ୍ଗ ନେତାଙ୍କ ବିଜୟ ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଟ୍ୱିଟ୍ କରି କହିଛନ୍ତି, ବିପୁଳ ଭୋଟ ଦେଇଥିବାରୁ ମୁଁ ଆସାନସୋଲ୍ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲିଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ଅନ୍ୟପକ୍ଷରେ ବାବୁଲ ସୁପ୍ରିୟୋ ଟ୍ବିଟ କରି କହିଛନ୍ତି ଯେ, ଧନ୍ୟବାଦ ବାଲିଗଞ୍ଜ, ଧନ୍ୟବାଦ ଆସାନସୋଲ, ମୁଁ ନିଶ୍ଚିତ ଥିଲି ଯେ ନ୍ୟାୟ ମିଳିବ ଏବଂ ଆସାନସୋଲରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ପରବର୍ତ୍ତୀ ସାଂସଦ ହେବେ। ବର୍ତ୍ତମାନ ମୁଁ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସହିତ କାମ କରିବାକୁ ନେଇ ଖୁବ ଉତ୍ସାହିତ।

ଏହା ପୂର୍ବରୁ ଭୋଟ୍ ଦେବା ସମୟରେ ଶତ୍ରୁଘ୍ନ ସିହ୍ନା ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ମୁଁ ଆଜି ବିଜୟ କିମ୍ବା ପରାଜୟ ବିଷୟରେ କହିବି ନାହିଁ। ଆଜି ମୁଁ କହିବି କେବଳ ଗଣତନ୍ତ୍ରର ହିଁ ବିଜୟ ହେଉ। ଲୋକମାନେ ଆଗକୁ ଆସି ମତଦାନ କରନ୍ତୁ।

ସମ୍ବନ୍ଧିତ ଖବର