ଲୋକସଭା ଉପ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କଲେ ଦଳୀୟ ସାଂସଦ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଲୋକସଭା ଉପ ନିର୍ବାଚନରେ ଉତ୍ତର ପ୍ରଦେଶ ଓ ବିହାରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଶୋଚନୀୟ ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା ଓ କଟାକ୍ଷ କରିଛନ୍ତି ଦଳୀୟ ନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା।


ଉତ୍ତର ପ୍ରଦେଶ ଲୋକସଭା ଉପ ନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାଥୀଙ୍କର ବିପୁଳ ବିଜୟ ପରେ ଅଖିଳେଶ ଯାଦବ ଓ ମାୟାବତୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜେପିର ପରାଜୟ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ସମବେଦନା ଜଣାଇଛନ୍ତି।
ବିଜେପିର ବିବାଦୀୟ ନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ଉପ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ସିଧାସଳଖ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ମୋଦିଙ୍କ ଔଦ୍ଧତ୍ୟ, ଅହଂକାର ଓ ମାତ୍ରାତିରିକ୍ତ ଦୃଢ଼ବିଶ୍ୱାସ ଉପ ନିର୍ବାଚନରେ ଦଳ ପାଇଁ ପରାଜୟର କାରଣ ହେଲା।
‘ମୁଁ ବରାବର କହି ଆସିଛି ଔଦ୍ଧତ୍ୟ, କ୍ଷଣ କୋପିତା ଓ ମାତ୍ରାତିରିକ୍ତ ଦୃଢ଼ବିଶ୍ୱାସ ହେଉଛି ଗଣତାନ୍ତ୍ରିକ ରାଜନୀତିରେ ସବୁଠାରୁ ମାରାତ୍ମକ’ ବୋଲି ଏକ ଟୁଇଟ ଜରିଆରେ କହିଛନ୍ତି ବିଜେପି ସାଂସଦ ସିହ୍ନା।


ଅନ୍ୟ ଏକ ଟୁଇଟରେ ସାଂସଦ ଶ୍ରୀ ସିହ୍ନା କହିଛନ୍ତି ଯେ ୟୁପି ଓ ବିହାର ଉପ ନିର୍ବାଚନ ଫଳାଫଳ ଦଳର ବରିଷ୍ଠ ନେତା (ପ୍ରଧାନମନ୍ତ୍ରୀ ଓ ଅମିତ ଶାହା)ଙ୍କ ପାଇଁ ଏକ ବଡ଼ ଶିକ୍ଷା ଓ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏକ ସତର୍କ ଘଣ୍ଟି ସଦୃଶ।

ସମ୍ବନ୍ଧିତ ଖବର