ଫରିଦାବାଦ: ହରିଆଣାର ଫରିଦାବାଦର ଏକ ଆବାସିକ ରାସ୍ତାରେ ଥିବା ୧୦ ଫୁଟ ଗଭୀର ଖାତରୁ ଶୁକ୍ରବାର ଦିନ ଜଣେ ମହିଳାଙ୍କ ପଚିଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି ବୋଲି ପୂର୍ବରୁ ତାଙ୍କ ଶାଶୂଘର ଲୋକ ଅଭିଯୋଗ ଆଣିଥିବା ବେଳେ ଏବେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତଦେହଟି ଉତ୍ତର ପ୍ରଦେଶର ଶିକୋହାବାଦର ବାସିନ୍ଦା ୨୪ ବର୍ଷୀୟା ତନୁଙ୍କର ବୋଲି ଚିହ୍ନଟ ହୋଇଛି। ସେ ଦୁଇ ବର୍ଷ ତଳେ ଫରିଦାବାଦର ରୋଶନ ନଗରର ବାସିନ୍ଦା ଅରୁଣଙ୍କୁ ବିବାହ କରିଥିଲେ।
ପୁଲିସ ଅନୁଯାୟୀ, ତନୁଙ୍କ ସ୍ୱାମୀ, ଶଶୁର, ଶାଶୂ ଏବଂ ଅନ୍ୟ ଜଣେ ନିକଟ ସମ୍ପର୍କୀୟ ଏବେ ଏହି ମାମଲାରେ ହେପାଜତରେ ଅଛନ୍ତି।
ତନୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ସହିତ ରହୁଥିବା ଘର ପାଖାପାଖି ଏକ କଂକ୍ରିଟ୍ ରାସ୍ତା ତଳେ ତାଙ୍କ ମୃତଦେହ ପୋତାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଦୁଇ ମାସ ପୂର୍ବରୁ ବର୍ଜ୍ୟଜଳ ପାଇଁ ଡ୍ରେନ୍ ନିର୍ମାଣ ପାଇଁ ଏହି ଅଞ୍ଚଳ ଖୋଳାଯାଇଥିଲା ବୋଲି ପଡ଼ୋଶୀମାନେ ପୁଲିସକୁ କହିଛନ୍ତି।
ସକାଳ ପ୍ରାୟ ୮ଟାରେ ମୃତଦେହ ବାହାର କରାଯାଇଥିଲା ଏବଂ ମୃତ୍ୟୁର ସଠିକ୍ ସମୟ ଏବଂ କାରଣ ଜାଣିବା ପାଇଁ ଏହାକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି।
ତନୁଙ୍କ ଭଉଣୀ ପ୍ରୀତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀ ୨୦୨୩ ମସିହାରେ ବିବାହ ପରେ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ପ୍ରୀତି ଦାବି କରିଛନ୍ତି ଯେ ଅରୁଣ ଏବଂ ତାଙ୍କ ବାପାମାଆ ବିବାହ ପରେ ସୁନା ଅଳଙ୍କାର ଏବଂ ଟଙ୍କା ଦାବି କରିଥିଲେ। ସେ କହିଛନ୍ତି ଯେ ତନୁଙ୍କ ପରିବାର ଯଥାସମ୍ଭବ ଦାବି ପୂରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବାରମ୍ବାର ଚାପ ପକା ଯାଉଥିଲା। ଏହା ଏକ ଯୌତୁକଜନୀତ ହତ୍ୟା ବୋଲି ଅଭିଯୋଗ ହୋଇଛି।