ମହାମାରୀ ବେଳେ ମେଣ୍ଢା ଉପହାର : ସଡ଼କ ପଥରେ ଚୀନ୍କୁ ୪୦୦୦ ମେଣ୍ଢା ପଠାଇଲା ମଙ୍ଗୋଲିଆ
ବେଜିଙ୍ଗ୍: ପରୀକ୍ଷା କରି, କ୍ବାରେଣ୍ଟିନ୍ରେ ରଖିବା ପରେ ନିର୍ଦ୍ଧାରିତ ସଡ଼କ ପଥରେ ବିଶୋଧିତ ଟ୍ରକ୍ମାନଙ୍କରେ ଏ ମାସ ମଧ୍ୟଭାଗରେ ମଙ୍ଗୋଲିଆ ଉତ୍ତର ଚୀନ୍ର ଏକ ସହରକୁ ୪୦୦୦ ମେଣ୍ଢା ପଠାଇଛି। ନିବିଡ଼ ବନ୍ଧୁତାର ନିଦର୍ଶନ ଭାବେ ଚୀନ୍କୁ ୩୦,୦୦୦ ମେଣ୍ଢା ଦେବ ବୋଲି ମଙ୍ଗୋଲିଆ ପ୍ରତିଶ୍ରୁତି ଦେଇଥିଲା।
ଗତ ଫେବ୍ରୁଆରି ଶେଷ ଭାଗରେ ଚୀନ୍ ଗସ୍ତରେ ଆସିଥିବା ମଙ୍ଗୋଲୀୟ ରାଷ୍ଟ୍ରପତି ଖଲ୍ତ୍ମା ବତ୍ତୁଗ୍ଲା ଚୀନ୍କୁ ୩୦,୦୦୦ ମେଣ୍ଢା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ସମୟରେ କୋଭିଡ୍-୧୯ ବିପକ୍ଷରେ ସଂଗ୍ରାମ ଚଳାଇଥିବା ବେଜିଙ୍ଗ୍କୁ ସମର୍ଥନ ଏବଂ ସହଯୋଗର ନିଦର୍ଶନ ସ୍ବରୂପ ସେ ଏତେଗୁଡ଼ିଏ ମେଣ୍ଢା ଦେବାକୁ କହିଥିଲେ। ମଙ୍ଗୋଲିଆରେ ମେଣ୍ଢା ଉପହାରକୁ ନିବିଡ଼ ବନ୍ଧୁତ୍ବର ସଙ୍କେତ ବୋଲି ବିଚାର କରାଯାଏ।

ବିଳମ୍ବରେ ହେଲେ ମଧ୍ୟ ପ୍ରତିଶ୍ରୁତି ମୁତାବକ, ମଙ୍ଗୋଲିଆରୁ ଡଜନାଧିକ ଟ୍ରକ୍ ୪୦୦୦ ମେଣ୍ଢା ଆଣି ସପ୍ତାହେ ତଳେ ଚୀନ୍-ମଙ୍ଗୋଲିଆ ସୀମାନ୍ତ ସହର ଏରେନ୍ହଟ୍ରେ ପହଞ୍ଚିଥିଲା।
ମଙ୍ଗୋଲିଆର ଖାଦ୍ୟ ଓ କୃଷି ମନ୍ତ୍ରାଳୟ ଏବଂ ଚୀନ୍ର ବାଣିଜ୍ୟ ମନ୍ତ୍ରାଳୟ ମଧ୍ୟରେ କରାଯାଇଥିବା ବ୍ୟବସ୍ଥା ଅନୁସାରେ, ଏହି ମେଣ୍ଢାମାନଙ୍କୁ ପ୍ରଥମେ ମଙ୍ଗୋଲିଆରେ ପରୀକ୍ଷା କରାଯାଇ ଅନ୍ୟ ମେଣ୍ଢାପଲମାନଙ୍କ ଠାରୁ ୩୦ ଦିନ ପର୍ଯ୍ୟନ୍ତ ପୃଥକ୍ ରଖାଯାଇଥିଲା। ସେପ୍ଟେମ୍ବର ୮ ତାରିଖରୁ ମଙ୍ଗୋଲିଆରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଉତ୍ତର ଚୀନ୍ର ଏରେନ୍ହଟ୍ ସହରରେ ପ୍ରବେଶ କରିଥିବା ଏହି ମେଣ୍ଢାମାନଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇ ପରୀକ୍ଷା କରାଯିବ। ଏହାପରେ ସେମାନଙ୍କୁ ହତ୍ୟା କରାଯାଇ ସଂରକ୍ଷିତ କରାଯିବାର ୧୪ ଦିନ ମଧ୍ୟରେ ହୁବେଇ ପ୍ରଦେଶକୁ ହସ୍ତାନ୍ତର କରାଯିବ ବୋଲି ରାଷ୍ଟ୍ରାୟତ ଖବରକାଗଜ ‘ଚାଇନା ଡେଲି’ ରିପୋର୍ଟ କରିଛି।
ମଙ୍ଗୋଲିଆ ପ୍ରତିଶ୍ରୁତି ମୁତାବକ ବାକି ମେଣ୍ଢା ନଭେମ୍ବର ମଧ୍ୟଭାଗ ବେଳକୁ ଚୀନ୍ରେ ପହଞ୍ଚିବ ବୋଲି ‘ଚାଇନା ଡେଲି’ ଉଲ୍ଲେଖ କରିଛି।