ଇସ୍‌ଲାମାବାଦ: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଯାଇଛି। ବିରୋଧୀ ଦଳମାନେ ଏକଜୁଟ ହୋଇ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସନ୍ତାକାଲି ସଂସଦରେ ଆନୁଷ୍ଠାନିକ ଭାବେ ଆଗତ କରିବେ। ନ୍ୟାସନାଲ ଆସେମ୍ଲିର ବାଚସ୍ପତି ଯଦି ଏହି ପ୍ରସ୍ତାବକୁ ସ୍ବୀକାର କରିବେ ତା’ହେଲେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ୨୮ ମାର୍ଚ୍ଚରେ ଭୋଟ୍‌ ଗ୍ରହଣ ହେବ। ତେବେ ବାଚସ୍ପତିଙ୍କ ନିଷ୍ପତ୍ତି ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ 'ପାକିସ୍ତାନ ମୁସଲିମ ଲିଗ-ନୱାଜ'(ପିଏମଏଲ-ଏନ) ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଛି।

Advertisment

ନୱାଜ ସରିଫଙ୍କ ଝିଅ ତଥା ପିଏମଏଲ-ଏନର ଉପାଧ୍ୟକ୍ଷ ମରିୟମ ନୱାଜ କହିଛନ୍ତି ଯେ ଶେହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଇମ୍ରାନ ଖାନଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ସଫଳ ହେବ ବୋଲି ମୋର ଆଶା। ଇସଲାମାବାଦ ହାଇକୋର୍ଟ ବାହାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମରିୟମ କହିଛନ୍ତି ଯେ ସମସ୍ତ ବିରୋଧୀ ଦଳ ବସି ପ୍ରଧାନମନ୍ତ୍ରୀ ପଦ ପାଇଁ ନୂତନ ପ୍ରାର୍ଥୀ କିଏ ହେବା ଉଚିତ୍ ସେ ନିଷ୍ପତ୍ତି ନେବେ, କିନ୍ତୁ ପିଏମଏଲ-ଏନ ଦଳ ଶେହବାଜ ସରିଫଙ୍କୁ ପ୍ରାର୍ଥୀ କରିବ। ଦଳ ଏହି ନିଷ୍ପତ୍ତି ନେଇସାରିଛି।

ତେବେ ରାଜନୈତିକ ସଙ୍କଟ ଦିନକୁ ଦିନ ଗଭୀର ହେଉଥବା ଦେଖି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଆଇଏସ୍‌ଆଇ ମୁଖ୍ୟ ନଦୀମ ଅଂଜୁମ ଇମ୍ରାନଙ୍କ ଉପରେ ଇସ୍ତଫା ପାଇଁ ଚାପ ସୃଷ୍ଟି କରୁଥିବା ଖବର ଆସିଛି। ଅନାସ୍ଥା ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ଇମ୍ରାନ ପଦ ଛାଡ଼ିଦେବା ନିମନ୍ତେ ସେନା ଅଧିକାରୀମାନେ ଚାପ ସୃଷ୍ଟି କରୁଥିବାରୁ ଖୁବ୍‌ଶୀଘ୍ର ଇମ୍ରାନଙ୍କ ଶାସନର ଅନ୍ତ ଘଟିବ ବୋଲି କୁହାଯାଉଛି। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବାପରେ ଇମ୍ରାନ ଯେଭଳି ରୁଷ୍‌ ଗସ୍ତରେ ଗଲେ ତାହାକୁ ନେଇ ସେନା କ୍ଷୁବ୍ଧ ହୋଇଛି। ଆମେରିକା ଓ ୟୁରୋପୀୟ ସଂଘ ବିନା କାରଣରେ ଏବେ ପାକିସ୍ତାନକୁ ଟାର୍ଗେଟ୍‌ କରୁଥିବାରୁ ଆଗକୁ ସଙ୍କଟ ବଢ଼ିବ ବୋଲି ସେନା ଆଶଙ୍କା କରୁଛି । ଅନ୍ୟପକ୍ଷରେ ଏଭଳି ସ୍ଥିତିର ମୁକାବଲା ପାଇଁ ଆବଶ୍ୟକ ହେଲେ ଇମ୍ରାନ୍‌ ସେନା ମୁଖ୍ୟ ବାଜୱାଙ୍କୁ ବରଖାସ୍ତ କରିପାରନ୍ତି ବୋଲି ମୁଧ୍ୟ କୁହାଯାଉଛି। ବାଜୱାଙ୍କ ସମେତ ୩ ସେନା ମୁଖ୍ୟଙ୍କୁ ମଧ୍ୟ ବଦଳାଇ ଦେବାକୁ ଇମ୍ରାନ ନିଷ୍ପତ୍ତି ନେଇପାରନ୍ତି। ଏଭଳି ହେଲେ ସେନା ବିଦ୍ରୋହ କରିବା ସମ୍ଭାବନା ମଧ୍ୟ ରହିଛି।