ଇସଲାମାବାଦୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁକରଣ ପ୍ରୟାସ କରି ଚର୍ଚ୍ଚାରେ ରହିଛନ୍ତି। ଆଜି ସରିଫ୍‌ ତାଙ୍କ  ବୈଦେଶିକ ମନ୍ତ୍ରୀ ଇସାକ ଡାର୍‌, ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍ ଖ୍ବାଜା ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ସିଆଲକୋଟର ପାସରୁର କ୍ୟାଣ୍ଟନମେଣ୍ଟରେ ପହଞ୍ଚି ଭାରତ ସହ ସାମ୍ପ୍ରତିକ ସଂଘର୍ଷରେ ସମ୍ପୃକ୍ତ ସେନା ଅଧିକାରୀ ଏବଂ ସୈନିକଙ୍କ ସହ ଆଲୋଚନା କରିଥିଲେ। ସିଆଲକୋଟର ପାସରୁର କ୍ୟାଣ୍ଟନମେଣ୍ଟ ଲାହୋରଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ମେ ୬ ଓ ୭ ତାରିଖ ମଧ୍ୟରାତ୍ରିରେ ‘ଅପରେସନ୍ ସିନ୍ଦୁର’ଆରମ୍ଭ କରାଯାଇଥିଲା। ଏହି ଅପରେସନ ସମୟରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ଧ୍ୱଂସ କରିଥିଲା, ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।ଏହି ଆକ୍ରମଣରେ ପାସ୍‌ରୁର ଏୟାରବେସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମେ ୮, ୯ ଓ ୧୦ ତାରିଖରେ ପାକିସ୍ତାନ ଅନେକ ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଥିଲା ।  ଏହାର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ରଫିକ୍‌, ମୁରିଦ, ଚକଲାଲା, ରହିମ ୟାର୍ ଖାଁ, ସକ୍କର ଏବଂ ଚୁନିଆନ୍ ସମେତ ଅନେକ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ଉପରେ ଭୟଙ୍କର ଆକ୍ରମଣ କରିଥିଲା। ପାସରୁର ଏବଂ ସିଆଲକୋଟରେ ଥିବା ରାଡାର ଷ୍ଟେସନଗୁଡ଼ିକୁ ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀ  ଟାର୍ଗେଟ କରିଥିଲା।