ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଗୁରୁବାର ‘ଅପରେସନ ସିନ୍ଦୂର’କୁ ନେଇ ଏକ ବଡ଼ ସ୍ୱୀକାରୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସେନା ଭାରତ ଉପରେ ଯୋଜନାବଦ୍ଧ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ହିଁ ଭାରତୀୟ ସେନା ପାକିସ୍ତାନ ଭିତରେ ଥିବା ପ୍ରମୁଖ ଟାର୍ଗେଟ୍ ଉପରେ ଆଗୁଆ ବ୍ରହ୍ମୋସ୍ ଆକ୍ରମଣ କରିଥିଲା। ଅଜରବୈଜାନରେ ସରିଫ ପ୍ରକାଶ କରିଛନ୍ତି ଯେ ସକାଳ ପ୍ରାର୍ଥନା ପରେ ପାକିସ୍ତାନ ସେନା ଆରମ୍ଭ କରିବ ବୋଲି ନିଷ୍ପତ୍ତି ନେଇଥିଲା। ତେବେ ଏହାର କିଛି ଘଣ୍ଟା ପୂର୍ବରୁ ହିଁ ଭାରତ ମେ ୧୦ ତାରିଖ ସକାଳେ ରାଵଲପିଣ୍ଡି ବିମାନବନ୍ଦର ସମେତ ଅନେକ ପ୍ରଦେଶକୁ ଟାର୍ଗେଟ କରି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ସରିଫ୍ଙ୍କ ଏହି ବୟାନ ପାକିସ୍ତାନରେ ହଇଚଇ ସୃଷ୍ଟି କରିଥିବା ବେଳେ ପାକ୍ ସେନାମୁଖ୍ୟ ଅସୀମ ମୁନିର୍ଙ୍କ ଅଡ଼ୁଆ ବଢ଼ାଇ ଦେଇଛି।
ସରିଫ୍ କହିଛନ୍ତି, ମେ ୯-୧୦ ରାତିରେ ଆମେ ଭାରତୀୟ ଆକ୍ରମଣର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲୁ। ନମାଜ ପରେ ଆମ ସଶସ୍ତ୍ର ବାହିନୀ ଭୋର୍ ସାଢ଼େ ୪ଟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲା। କିନ୍ତୁ ତାହା ପୂର୍ବରୁ ଭାରତ ବ୍ରହ୍ମୋସ୍ ବ୍ୟବହାର କରି ରାୱଲପିଣ୍ଡିର ବିମାନବନ୍ଦର ସମେତ ପାକିସ୍ତାନର ବିଭିନ୍ନ ପ୍ରଦେଶକୁ ଟାର୍ଗେଟ କରିଥିଲା। ଅପରେସନ ସିନ୍ଦୂରକୁ ନେଇ ସରିଫଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ଅସୀମ ମୁନିରଙ୍କ ନେତୃତ୍ୱରେ ପାକିସ୍ତାନର ସେନା ମେ ୧୦ ତାରିଖ ସକାଳେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ତେବେ ଭାରତ ଏହାକୁ ପ୍ରତିହତ କରି ସକାଳ ହେବା ପୂର୍ବରୁ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଉପରେ ଦୀର୍ଘ ଦୂରତା ବିଶିଷ୍ଟ ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରିବା ଦ୍ବାରା ପାକିସ୍ତାନର ସବୁ ଯୋଜନା ପଣ୍ଡ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ପୂର୍ବରୁ କହିଥିଲେ ଯେ ପାକିସ୍ତାନର ବଡ଼ ଆକ୍ରମଣକୁ ନିଷ୍ଫଳ କରିଦେବା ପାଇଁ ଭାରତ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆଗୁଆ ଆକ୍ରମଣ କରିଥିଲା ଏବଂ ମାତ୍ର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଆକ୍ରମଣ କ୍ଷମତାକୁ ଭୀଷଣ କ୍ଷତି ପହଞ୍ଚାଇଥିଲା। ପାକିସ୍ତାନ କେବଳ ମିଛ ପ୍ରଚାର ଦ୍ବାରା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ନେଇ ଅନେକ ବିଶେଷଜ୍ଞ ସତର୍କ କରାଇ ଦେଇଥିଲେ। ଏବେ ସରିଫ୍ ନିଜେ ସତ୍ୟ ସ୍ବୀକାର କରିବା ପରେ ନିଜ ଦେଶରେ ତାଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।