ଭାରତ ସହ ଶାନ୍ତି ପାଇଁ କଶ୍ମୀର ସମସ୍ୟାର ସମାଧାନ ଜରୁରୀ : ଟୁଇଟରରେ ମୋଦୀଙ୍କୁ ଶେହବାଜଙ୍କ ଜବାବ

ନୂଆଦିଲ୍ଲୀ : ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଭାରତ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଆଶା ପ୍ରକାଶ କରିଛନ୍ତି । ଆଲୋଚନା ମାଧ୍ୟମରେ କଶ୍ମୀର ସମେତ ସବୁ ବକେୟା ସମସ୍ୟାର ସମାଧାନ ବାହାର କରାଯିବା ଉପରେ ସେ ଗୁରୁତ୍ବ ଆରୋପ କରିଛନ୍ତି ।

ଶେହବାଜ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ନିୟୁକ୍ତ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ଏହି ଅଞ୍ଚଳରେ ଶାନ୍ତି ଓ ଆତଙ୍କବାଦମୁକ୍ତ ହେବା ଚାହେଁ, ଯଦ୍ବାରା କି ଆମେ ବିକାଶ ଉପରେ ଫୋକସ କରିପାରିବା ବୋଲି ଲେଖିଥିଲେ ।

 

ଏହାର ଜବାବରେ ଶେହବାଜ ଲେଖିଛନ୍ତି ଯେ, ଆପଣଙ୍କ ଅଭିନନ୍ଦନ ପାଇଁ ଧନ୍ୟବାଦ ରାଷ୍ଟ୍ରମୁଖ୍ୟ ନରେନ୍ଦ୍ର ମୋଦୀ । ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହେଁ । ତେବେ କଶ୍ମୀର ସମେତ ସବୁ ବକେୟା ସମସ୍ୟାର ସମାଧାନ ବାହାର କରାଯିବା ବେଶ ଗୁରୁତ୍ବପୂର୍ଣ୍ଣ । ଆତଙ୍କବାଦ ବିରୋଧରେ ପାକିସ୍ତାନର ତ୍ୟାଗ ସଂପର୍କରେ ସମସ୍ତେ ଜାଣିଛନ୍ତି । ଆସନ୍ତୁ ଶାନ୍ତି ପ୍ରତିଷ୍ଠା କରି ସାମାଜିକ ଓ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ ଦେବା ।

ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀଭାବେ ଶପଥ ନେବା ପରେ ଶେହବାଜ ସରିଫ କହିଥିଲେ ଯେ ଭାରତ ସହ ସୁସମ୍ପର୍କ ପ୍ରତିଷ୍ଠା ପୂର୍ବରୁ କଶ୍ମୀର ସମସ୍ୟାର ସମାଧାନ ଜରୁରୀ । ଅନ୍ୟପକ୍ଷରେ ଚୀନକୁ ସେ ଏକ ବନ୍ଧୁରାଷ୍ଟ୍ର ଭାବେ ବର୍ଣ୍ଣନା କରିଥିଲେ ।

ସମ୍ବନ୍ଧିତ ଖବର