ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ପାର୍ଟିର ମୁଖ୍ୟ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା। ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଛନ୍ତି।
୧୯୭୧ରେ ସ୍ବାଧୀନତା ପାଇବା ପାଇଁ ସଂଗ୍ରାମ କରିଥିବା ପରିବାରର ପିଲାଙ୍କୁ ସରକାରୀ ଚାକିରିରେ ୩୦ପ୍ରତିଶତ କୋଟା ଦିଆଯିବାକୁ ନେଇ ବାଂଲାଦେଶରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏଭଳି କରି ଶେଖ ହସିନା ନିଜ ସମର୍ଥକମାନଙ୍କୁ ସାହାର୍ଯ୍ୟ କରୁଥିବା ଦାବି କରୁଛନ୍ତି ବିକ୍ଷୋଭକାରୀ, ଯେଉଁଥିପାଇଁ ଦେଶରେ ଉତ୍ତେଜନା ବଢ଼ିଛି।
ତେବେ ଏହି ଉତ୍ତେଜନା ମଧ୍ୟରେ ଶେଖ ହସିନାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ସେ ଦେଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ହସିନା ମୋଟ ୪କୋଟି ୩୬ଲକ୍ଷ ଟଙ୍କାର ମାଲିକାଣୀ ଅଟନ୍ତି। ୨୦୨୨ମସିହାରେ ସେ ୧କୋଟି ୭ଲକ୍ଷ ଟଙ୍କା ରୋଜଗାର କରିଥିଲେ ଏବଂ ଏହାର ଏକ ପ୍ରମୁଖ ଅଂଶ କୃଷି କ୍ଷେତ୍ରରୁ ଆସିଥିଲା। ୨୦୧୮ ତୁଳନାରେ କୃଷିରୁ ତାଙ୍କର ହେଉଥିବା ଆୟ ବଢ଼ିଛି। ଶେଖ ହସିନାଙ୍କ ଆୟକର ରିଟର୍ଣ୍ଣ ଅନୁଯାୟୀ ତାଙ୍କ ଆୟ ହେଉଛି ୧କୋଟି ୯୧ଲକ୍ଷ ଟଙ୍କା। ଗତ ଚାରି ବର୍ଷ ମଧ୍ୟରେ ସେ ମୋଟ ୭୫ଲକ୍ଷ ଟଙ୍କା ମୂଲ୍ୟର ଫିକ୍ସଡ ଡିପୋଜିଟ ଏବଂ ସେଭିଂ ବଣ୍ଡ କିଣିଛନ୍ତି। ତାଙ୍କ ନାମରେ ୬ଏକର କୃଷି ଜମିଥିବା ସହ ସେ ମତ୍ସ୍ୟଚାଷରୁ ମଧ୍ୟ ରୋଜଗାର କରନ୍ତି। ତାଙ୍କ ପାଖରେ ଦାନରେ ମିଳିଥିବା ଏକ କାର ମଧ୍ୟ ଅଛି।
ଉଲ୍ଲେଖଯୋଗ୍ୟ, ଶେଖ ହସିନା ବାଂଲାଦେଶର ପ୍ରତିଷ୍ଠାତା ତଥା ପ୍ରଥମ ରାଷ୍ଟ୍ରପତି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଝିଅ। ହସିନା ୧୯୬୮ମସିହାରେ ଏମ.ଏ ୱାଜେଦ୍ ମିଆଙ୍କୁ ବିବାହ କରିଥିଲେ। ତେବେ ୨୦୦୯ରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/t-37.jpg)
