ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ  ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଦଶନ୍ଧି ମଧ୍ୟରେ କୌଣସି ପୂର୍ବତନ ବାଂଲାଦେଶ ନେତାଙ୍କ ବିରୋଧରେ ଏହା ଅତ୍ୟନ୍ତ ନାଟକୀୟ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ। ଆସନ୍ତା ଫେବ୍ରୁଆରି‌ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଥିବାବେଳେ ଏହାର ମାତ୍ର କିଛିମାସ ପୂର୍ବରୁ ହସିନାଙ୍କ ବିରୋଧ‌‌ରେ ଏହି ରାୟ ଆସିଛି।  ଅନ୍ୟପକ୍ଷରେ ଏହି ରାୟକୁ ବିରୋଧ କରି ହସିନାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଶତାଧିକ ସ୍ଥାନରେ ହିଂସା ଜାରି ରହିଛି। ହସିନାଙ୍କ ଦଳ ଆୱାମୀ ଲିଗ୍‌ ରାୟକୁ ପ୍ରତ୍ୟାଖ୍ୟାନ କରିବା ସହ ଏହା ବିରୋଧରେ ଦେଶବ୍ୟାପୀ ଜନଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି।

Advertisment

କୋର୍ଟ ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ  ମଧ୍ୟ ଆଜୀବନ କାରାଦଣ୍ଡ ଦେଇଛନ୍ତି ଏବଂ ଆନ୍ଦୋନନ ସମୟରେ ଅନେକ ଲୋକଙ୍କ ହତ୍ୟା ମାମଲାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ପୃଥକ୍‌ ଭାବେ ମୃତ୍ୟୁଦଣ୍ଡ ମିଳିଛି।  ହସିନାଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍‌କୁ ଉଦ୍ଧୃତ କରି ଟ୍ରିବ୍ୟୁନାଲ ଦର୍ଶାଇଛନ୍ତି ଯେ ଶେଖ୍‌ ହସିନା ମାନବତା ବିରୋଧୀ ଅପରାଧ କରିଛନ୍ତି।  ଅଗଷ୍ଟ ୫ ତାରିଖରେ ୬ ଜଣ ଆନ୍ଦୋଳନକାରୀଙ୍କୁ ଚଙ୍ଖରପୁଲରେ  ହତ୍ୟା କରାଯାଇଥିଲା ଏବଂ ଶେଖ ହସିନାଙ୍କ ନିର୍ଦ୍ଦେଶରେ ଛାତ୍ରମାନଙ୍କୁ ହତ୍ୟା କରାଯାଇଥିବା ନେଇ ରହିଥିବା ବଳିଷ୍ଠ ପ୍ରମାଣ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା ବୋଲି ଅଦାଲତ କହିଛନ୍ତି। ତତ୍କାଳୀନ ଗୃହମନ୍ତ୍ରୀ ତଥା ପୁଲିସ ଆଇଜିଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ସେମାନେ ଏହାଦ୍ବାରା ମାନବତା ବିରୋଧରେ ଅପରାଧ କରିଛନ୍ତି।  କୋର୍ଟ ଏଥିପାଇଁ ଉଭୟ ହସିନାଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେଇଥିବା ଏବଂ ଛାତ୍ର ଆନ୍ଦୋଳନ ସମୟରେ ଛାତ୍ରମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ନେଇ ଦାୟୀ କରିଛନ୍ତି। 

ଆଇସିଟି ମଧ୍ୟ ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ଅସଦୁଜାମାନ ଖାନ୍‌ କମାଲଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।  ସେହିପରି ପୂର୍ବତନ ପୁଲିସ ଆଇଜି ଚୌଧୁରୀ ଅବଦୁଲ୍ଲା ଅଲ୍‌ ମାମୁନଙ୍କୁ ମଧ୍ୟ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କୋର୍ଟ କହିଛନ୍ତି ଯେ ଶେଖ ହସିନା ଏବଂ ପୂର୍ବତନ ଗୃହମନ୍ତ୍ରୀଙ୍କ  ସମ୍ପତ୍ତି ଜବତ କରାଯାଇ ତାହାକୁ ରାଷ୍ଟ୍ର ନିୟନ୍ତ୍ରଣରେ ରଖାଯିବ।  ଉଲ୍ଲେଖଯୋଗ୍ୟ, ଜଷ୍ଟି୍‌ସ ଏମ୍‌ଡି ଜି.  ମୋର୍ତୁଜା ମଜୁମଦାରଙ୍କ ନେତୃତ୍ବାଧୀନ ୩ ଜଣିଆ ଖଣ୍ଡପୀଠ ଆଜି ଅପରାହ୍‌ଣ ପ୍ରାୟ ୧୨.୩୦ ସମୟରେ ୪୫୩ ପୃଷ୍ଠାର ରାୟ ଶୁଣାଇଛନ୍ତି। ଏଥିପାଇଁ ଆଜି କୋର୍ଟରୁମ୍‌ ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହସିନାଙ୍କ ଅାୱାମୀ ଲିଗ୍‌କୁ ନିର୍ବାଚନ ଲଢ଼ିବା ପାଇଁ ବାରଣ କରାଯାଇଛି। ତେବେ ସୋମବାର ଆସିଥିବା ଏହି ରାୟ ପାଇଁ ନିର୍ବାଚନ ପୂର୍ବରୁ ଦେଶରେ ଏକ ‌ସଦ୍ୟ ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ଚିନ୍ତା ପ୍ରକଟ ହୋଇଛି। ଏହି ର‌ାୟକୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ।

ରାୟ ପକ୍ଷପାତପୂର୍ଣ୍ଣ, ପୂର୍ବ ନିର୍ଦ୍ଧାରିତ: ହସିନା, କଠୋରପନ୍ଥୀଙ୍କ ବିରାଟ ଷଡ୍‌ଯନ୍ତ୍ର

ଢାକା: ‘ମାନବତା ବିରୋଧରେ ଅପରାଧ’ ପାଇଁ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍‌) ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାପରେ ହସିନା ଆଇସିଟକୁ କଡ଼ା ସମାଲୋଚନା କରିଛନ୍ତି।  ଏକ ବିବୃତି ଜାରି କରି ହସିନା ଦାବି କରିଛନ୍ତି ଯେ ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ସହ ଜଡ଼ିତ ହିଂସା ଘଟଣାରେ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ପକ୍ଷପାତପୂର୍ଣ୍ଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।  ହସିନା ରାୟକୁ ଅନ୍ୟାୟପୂର୍ଣ୍ଣ, ପୂର୍ବ ନିର୍ଦ୍ଧାରିତ କହିଛନ୍ତି।   ବିନା ଗଣତାନ୍ତ୍ରିକ ଜନାଦେଶ ସହ ଏକ ଅଣ ନିର୍ବାଚିତ ସରକାରର ଅଧ୍ୟକ୍ଷତାରେ ମୋ ବିରୋଧରେ ଏହି ରାୟ ଆସିଛି ବୋଲି ହସିନା ଦାବି କରିଛନ୍ତି। ହସିନା କହିଛନ୍ତି, ମୋତେ ମାମଲାରେ ଦୋଷୀସାବ୍ୟସ୍ତ କରିବା ପୂର୍ବ ନିର୍ଦ୍ଧାରିତ। 

ହସିନା ସ୍ବୀକାର କରିଛନ୍ତି ଯେ ମୋ ସରକାର ବିରୋଧରେ ଆନ୍ଦୋଳନ ସମୟରେ ସ୍ଥିତି ଉପରୁ ଆମେ ନିୟନ୍ତ୍ରଣ ହରାଇଥିଲୁ କିନ୍ତୁ ନାଗରିକଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ହୋଇଛି ବୋଲି ଦର୍ଶାଇବା ଭୁଲ୍‌।  ଏହା ଜାଣିଶୁଣି କରାଯାଇନାହିଁ ବୋଲି ହସିନା ଦାବି କରିଛନ୍ତି।  ରାୟକୁ ସମାଲୋଚନା କରି ହସିନା ଏହି ପ୍ରକ୍ରିୟାକୁ ଏକ ଅନୈତିକ ପ୍ରକିୟା ବୋଲି କହିଛନ୍ତି। ମୃତ୍ୟୁଦଣ୍ଡାଦେଶ ହେବା ନେଇ ହସିନା କହିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ଦଳ ଅୱାମୀ ଲିଗ୍‌କୁ ହଟାଇବାପାଇଁ ଏହା କଟ୍ଟରପନ୍ଥୀ ଅଧିକାରୀମାନଙ୍କ ଦ୍ବାରା ଏକ ଯୋଜନାବଦ୍ଧ ଉଦ୍ୟମ।  ହସିନା କହିଛନ୍ତି, ମୃତ୍ୟୁଦଣ୍ଡ ଦାବି କରି ସେମାନେ ବାଂଲାଦେଶର ଶେଷ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ହଟାଇବାପାଇଁ ଏବଂ ଅୱାମି ଲିଗ୍‌କୁ ଏକ ରାଜନୈତିକ ଶକ୍ତି ଭାବେ ଅମାନ୍ୟ କରିବାପାଇଁ ସେମାନଙ୍କ  ଅନ୍ତରୀଣ ସରକାରରେ ଥିବା  ଉଗ୍ରପନ୍ଥୀ‌ ଗୋଷ୍ଠୀର ଘାତକ ଏବଂ ଲଜ୍ଜାହୀନ ଚିନ୍ତାଧାରାର ପରିପ୍ରକାଶ କରିଛନ୍ତି। 

ନିଜ ସରକାର ସମୟର କାର୍ଯ୍ୟକୁ ପ୍ରଶଂସା କରି ହସିନା କହିଛନ୍ତି, ୨୦୧୦ରେ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟରେ ଯୋଗ ଦେବାପାଇଁ ଆମେ ବାଂଲା‌ଦେଶର ନେତୃତ୍ବ ନେଇଥିଲୁ। ଶତାଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆମେ ଆଶ୍ରୟ ଦେଇଥିଲୁ।  ଶିକ୍ଷାକ୍ଷେତ୍ରକୁ ସୁଦୃଢ଼ କରିଥିଲୁ।    ଲକ୍ଷାଧିକ ଲୋକଙ୍କୁ ଆମେ ଦାରିଦ୍ର୍ୟ ମୁକ୍ତ କରିଛୁ।  ଏସବୁ ସଫଳତା ହେଉଛି ଏକ ଐତିହାସିକ ରେକର୍ଡ।  ଏହି ସବୁ ସଫଳତା ମାନବ ଅଧିକାର ପ୍ରତି ତାଙ୍କ ସରକାରର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ହସିନା କହିଛନ୍ତି।  ଇତିମଧ୍ୟରେ ବାଂଲା‌ଦେଶର ଅନ୍ତରୀଣ ସରକାର ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଏକ ଐତିହାସିକ ରାୟ ବୋଲି କହିଛନ୍ତି।