ଶୀଲା ଦୀକ୍ଷିତଙ୍କ ପରଲୋକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ପ୍ରକଟ କରିଛନ୍ତି ।

 

ନିଜର ଶୋକ ବାର୍ତ୍ତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଶୀଲା ଦୀକ୍ଷିତ ନିଜର ମୁଖ୍ୟମନ୍ତ୍ରୀତ୍ୱ କାଳରେ ଦିଲ୍ଲୀର ରୂପରେଖ ବଦଳେଇଦେଇଥିଲେ । ନିଜ ଶୋକ ବାର୍ତ୍ତାରେ ମୋଦୀ କହିଛନ୍ତି ଯେ ଶୀଲା ନିଜ କାର୍ଯ୍ୟକାଳରେ ଦିଲ୍ଲୀର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ସେହିପରି ରାହୁଲ ଗାନ୍ଧି ତାଙ୍କୁ କଂଗ୍ରେସର ଝିଅ ବୋଲି ସମ୍ବୋଧନ କରି କହିଛନ୍ତି ଯେ ସେ   ୧୫ ବର୍ଷ ଧରି ଦିଲ୍ଲୀର ସେବା କରିଥିଲେ ।

 

ଶୀଲା ଦୀକ୍ଷିତ ୧୯୩୮ ମସିହା ମାର୍ଚ୍ଚ ୩୧ରେ ପଞ୍ଜାବର କପୁରତାଲାରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀର ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ଅମଳରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ସହିତ ବିଭିନ୍ନ ପ୍ରକାରର ବିକାଶମୂଳକ କାର୍ଯ୍ୟ ହୋଇଥିଲା । ନିଜର ୧୫ ବର୍ଷର କାର୍ଯ୍ୟକାଳରେ ଦିଲ୍ଲୀର ରୂପରେଖ ବଦଳେଇ ଦେଇଥିଲେ ଶୀଲା ।

 

୨୦୧୪ରେ ତାଙ୍କୁ କେରଳର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । କିନ୍ତୁ ସେହି ବର୍ଷ ଅଗଷ୍ଟ ୨୫ରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ସେ ଉତ୍ତର-ପୂର୍ବ ଦିଲ୍ଲୀ ସଂସଦୀୟ ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେପିର ମନୋଜ ତିଓ୍ଵାରୀଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ତାଙ୍କ ମୃତ୍ୟୁରେ କଂଗ୍ରେସରେ ଶୋକର ଛାୟା ଖେଳିଯାଇଛି ।

 

ସମ୍ବନ୍ଧିତ ଖବର