ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ଅପରାହ୍ଣରେ ଦିଲ୍ଲୀରେ ଶୀଲା ଦୀକ୍ଷିତଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଶ୍ରୀମତୀ ଦୀକ୍ଷିତ  ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅପରାହ୍ନ ୩ଟା ୩୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୨୦୧୯ ଜାନୁଆରିରେ ଦୀକ୍ଷିତଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଥିଲା।

୮୧ ବର୍ଷୀୟା ଶୀଲା ଦୀକ୍ଷିତ ପୂର୍ବରୁ ଲଗାତାର ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ସମୟରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚାଲିବା ସହ ଅନେକ ଭିତ୍ତିଭୂମି ବିକାଶ କାର୍ଯ୍ୟ ହୋଇଥିଲା ।

୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ଶୀଲା । ତେବେ ୨୦୧୩ ବିଧାନସଭା ନିର୍ବାଚନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରୁ ପରାଜିତ ହେବା ସହ ଶୀଲା ଶାସନଗାଦୀରୁ ବିଦାୟ ନେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ୨୦୧୪ରେ କେରଳର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ଶୀଲା । ପରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ପରାଜୟର ସାମ୍ନା କରିଥିଲେ ଶୀଲା । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଶୀଲା କଂଗ୍ରେସ ଟିକେଟରେ ଦିଲ୍ଲୀରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର