ମୁଜାଫରପୁର ଆଶ୍ରୟସ୍ଥଳ ମାମଲା : ନୀତୀଶଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ

ପାଟନା : ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ମୁଜାଫରପୁର୍‌ର ଏକ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ସିବିଆଇ ତଦନ୍ତ ନି‌ର୍ଦ୍ଦେଶ ଦେଇଛନ୍ତି। ନୀତୀଶଙ୍କ ସମେତ ଅନ୍ୟ ଦୁଇଜଣ ବରିଷ୍ଠ ଅମଲାଙ୍କ ବି‌‌ରୋଧରେ ମଧ୍ୟ ସିବିଆଇ ତଦନ୍ତ ହେବ। ମାମଲାରେ ଜଣେ ଅଭିଯୁକ୍ତ ଅଶ୍ବିନୀ କୁମାରର ପିଟିସନ୍‌ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଆଶ୍ରୟସ୍ଥଳରେ ନାବାଳିକା ପୀଡ଼ିତାମାନେ ଦୁଷ୍କର୍ମର ଶିକାର ହେବା ପୂର୍ବରୁ ସେମାନଙ୍କୁ ନିଶା ଦେଉଥିବା ଅଶ୍ବିନୀ କୁମାର ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଶ୍ବନି କୁମାର କୋର୍ଟରେ ଦାଖଲ କରିଥିବା ଏକ ୪ ପୃଷ୍ଠାର ପିଟିସନ୍‌ରେ ଅଭିଯୋଗ କରିଛନ୍ତି ଯେ ସିବିଆଇ ତଦନ୍ତ ପ୍ରକ୍ରିୟାରେ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ଧ୍ୟାନ ଦିଆଯାଇନାହିଁ। ସିବିଆଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପୂର୍ବତନ ମୁଜାଫରପୁର ଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ଏବଂ ସାମାଜିକ ମଙ୍ଗଳ ବିଭାଗର ପ୍ରମୁଖ ସଚିବ ଅତୁଲ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ସେମାନଙ୍କ ସମ୍ପୃକ୍ତି ମଧ୍ୟ ପଦାକୁ ଆସିବ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଅଶ୍ବିନୀ କୁମାରଙ୍କ ପକ୍ଷ ଶୁଣିବାପରେ ବିଚାରପତି ମନୋଜ କୁମାର ଉପରୋକ୍ତ ସମସ୍ତଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ଫେବ୍ରୁଆରି ୭ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ବିହାର ସରକାର ଏବଂ ସିବିଆଇକୁ ଭର୍ତ୍ସନା କରିବା ସହ ଉକ୍ତ ମାମଲାକୁ ନୂଆଦିଲ୍ଲୀର ସାକେତ କୋର୍ଟକୁ ସ୍ଥାନାନ୍ତର କରିଦେଇଥିଲେ।

ସମ୍ବନ୍ଧିତ ଖବର