ଶେର ବାହାଦୁର ଦେଉବା ୫ମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ

କାଠମାଣ୍ଡୁ: ନେପାଳ କଂଗ୍ରେସ ସଭାପତି ଶେର ବାହାଦୁର ଦେଉବା ମଙ୍ଗଳବାର ପଞ୍ଚମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନିର୍ଦ୍ଧାରିତ ସମାରୋହ ସ୍ଥାନୀୟ ସମୟ ସନ୍ଧ୍ୟା ୬ଟାରେ ଥିଲା, କିନ୍ତୁ ଦେଉବା ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ମନା କରିବା ପରେ ବିଳମ୍ବ ହୋଇଥିଲା। କାରଣ ସେ ତାଙ୍କ ନିଯୁକ୍ତିପତ୍ରରେ ସଂଶୋଧନ ଚାହିଁଥିଲେ, ଯେଉଁଥିରେ ତାଙ୍କ ନିଯୁକ୍ତିକୁ ଯୁକ୍ତିଯୁକ୍ତ ଦର୍ଶାଉଥିବା ସାମ୍ବିଧାନିକ ଧାରା ବିଷୟରେ ଉଲ୍ଲେଖ କରାଯାଇ ନ ଥିଲା।

ସମ୍ବିଧାନର ଧାରା ୭୬(୫) ଅନୁଯାୟୀ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ  ଦ୍ବାରା ଦେଉବା ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଲୋକସଭାକୁ ଭାଙ୍ଗିଦେବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମେ ୨୧ ନିଷ୍ପତ୍ତିକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଥିଲେ। ଓଲି ସେହିଦିନ ନେପାଳର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ପଠାଇବାବେଳେ କହିଥିଲେ ଯେ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ।

ପ୍ରଧାନ ବିଚାରପତି ଚୋଲେନ୍ଦ୍ର ଶମ୍‌ଶେର ରାଣାଙ୍କ ନେତୃତ୍ୱରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ଓଲିଙ୍କ ଦାବି ଅସାମ୍ବିଧାନିକ ଥିଲା। ଅତୀତରେ ଦେଉବା ଚାରିଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ଯଥା ଜୁନ୍ ୨୦୧୭ରୁ ଫେବ୍ରୁଆରି ୨୦୧୮, ଜୁନ୍ ୨୦୦୪ରୁ ଫେବ୍ରୁଆରି ୨୦୦୫, ଜୁଲାଇ ୨୦୦୧ରୁ ଅକ୍ଟୋବର ୨୦୦୨ ଏବଂ ସେପ୍ଟେମ୍ବର ୧୯୯୫ରୁ ମାର୍ଚ୍ଚ ୧୯୯୭। ଆଜି ଦେଉବାଙ୍କ ନିଯୁକ୍ତି ସହିତ, ତାଙ୍କୁ ଆସ୍ଥା ଭୋଟ ପାଇଁ ୩୦ ଦିନ ସମୟ ଦିଆଯାଇଛି ଏବଂ ସଂସଦର ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ପ୍ରଧାନମନ୍ତ୍ରୀ ଭାବରେ ରହିବାକୁ ହେଲେ ତାଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ।

ସମ୍ବନ୍ଧିତ ଖବର