ଘରୋଇ ହିଂସାକୁ ସାମ୍ନା କରିଥିବା ଶିବାଙ୍ଗୀ ପାଇଲେ ସିଭିଲ୍ ସର୍ଭିସରେ ୧୭୭ ରୢାଙ୍କ୍‌

ନୂଆଦିଲ୍ଲୀ: ୟୁପିଏସ୍‌ସି ପରୀକ୍ଷାରେ ୧୭୭ ରୢାଙ୍କ୍‌ରେ ରହିଛନ୍ତି ଉତ୍ତରପ୍ରଦେଶ ହାପୁର ଜିଲ୍ଲାର ପିଲ୍‌ଖୁୱା ବାସିନ୍ଦା ଶିବାଙ୍ଗୀ ଗୋୟଲ । ତାଙ୍କୁ ଏହି ସଫଳତା ଏତେ ସହଜରେ ମିଳିନି। ସଫଳତା ପାଇବାପାଇଁ ଶିବାଙ୍ଗୀଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଶିବାଙ୍ଗୀ ବିବାହିତା ଏବଂ ତାଙ୍କର ଏକ ୭ ବର୍ଷର ଝିଅ ଅଛି। ଶିବାଙ୍ଗୀ ଘରୋଇ ହିଂସାର ଶିକାର ହୋଇଛନ୍ତି। ନିଜ ଶ୍ବଶୁର ଘର ଲୋକଙ୍କ ଦ୍ବାରା ସେ ନିର୍ଯାତନାର ଶିକାର ହେବାପରେ ବାପ ଘରକୁ ଚାଲି ଆସିଥିଲେ। ଏବେ ସେ ତାଙ୍କ ବାପା ମା’ଙ୍କ ସହ ରହୁଛନ୍ତି। ସ୍ବାମୀଙ୍କ ସହ ଛାଡ଼ପତ୍ର ମାମଲା ଚାଲିଛି। ଶିବାଙ୍ଗୀ କହିଛନ୍ତି, ବିବାହ ପୂର୍ବରୁ ମଧ୍ୟ ସେ ଆଇଏଏସ୍‌ ହେବାକୁ ଚାହିଥିଲେ। ସେ ୨ ଥର ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଏହାପରେ ବିବାହ ହେଲା। କିନ୍ତୁ ନିର୍ଯାତନାର ଶିକାର ହୋଇ ବାପ ଘରକୁ ଫେରିବା ପରେ ଶିବାଙ୍ଗୀଙ୍କ ବାପା ତାଙ୍କୁ କହିଥିଲେ, ସେ ଜୀବନରେ ଆଗକୁ ବଢ଼ିବା ପାଇଁ ଯାହା ଚାହିବେ ତାହା କରିପାରିବେ। ଏହି କଥା ତାଙ୍କୁ ସାହସ ଯୋଗାଇଥିଲା। ସେ ପୁଣିଥରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଲେ। କଠିନ ପରିଶ୍ରମ ଦ୍ବାରା ତାଙ୍କୁ‌ ଶେଷରେ ସଫଳତା ମିଳିଲା। ସେ ତାଙ୍କ ସଫଳତାର ସବୁ ଶ୍ରେୟ ତାଙ୍କ ବାପା ମା’ ଏବଂ ଝିଅ ରାଇନାକୁ ଦେଇଛନ୍ତି। ଶିବାଙ୍ଗୀଙ୍କ ବାପା ଜଣେ ବ୍ୟବସାୟୀ ଏବଂ ମା’ ଜଣେ ଗୃହିଣୀ। ଶିବାଙ୍ଗୀ ସମାଜର ବିବାହିତା ମହିଳାଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ଯଦି ଶାଶୂ ଘରେ ସେମାନଙ୍କ ସହ କିଛି ଭୁଲ୍‌ ହେଉଛି ତେବେ ସେମାନେ ଭୟ କରିବା ଉଚିତ ନୁହେଁ। ସଂଘର୍ଷ କରି ନିଜ ଗୋଡ଼ରେ ଠିଆ ହେବାକୁ ପଡ଼ିବ। ମହିଳାମାନେ ନିଷ୍ଠାର ସହ ଯାହା ଚାହିବେ ତାହା ହାସଲ କରିପାରିବେ ବୋଲି ଶିବାଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର