ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କର ସୋମବାର ୮୧ ବର୍ଷ ବୟସରେ ଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲରେ ପରଲୋକ ଘଟିଛି। ଶିବୁଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସାମାଜିକ ଗଣମାଧ୍ୟମ ଏକ୍ସରେ ପିତାଙ୍କ ମୃତ୍ୟୁ ବିଷୟ ପୋଷ୍ଟ୍‌ କରି ‘ଦିଶୋମ ଗୁରୁ’ (ଦେଶର ମାର୍ଗଦର୍ଶକ) ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଆଜି, ମୁଁ ଅନାଥ ହୋଇଯାଇଛି ବୋଲି ଲେଖିଛନ୍ତି।

Advertisment

ଜେଏମ୍ଏମ୍ ମୁଖ୍ୟ ଜୁନ୍ ଶେଷ ସପ୍ତାହରେ କିଡ୍‌ନି ଜନିତ ରୋଗର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିକଟରେ ସେ ଷ୍ଟ୍ରୋକ୍‌ରେ ପୀଡ଼ିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ଏବଂ ଗତ ଏକ ମାସ ଧରି ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ଥିଲେ। ସେ ତିନିଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ଥରେ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଜଣେ ବିରାଟ ଆଦିବାସୀ ନେତା ତଥା ଜେଏମ୍‌ଏମ୍‌ର ଅନ୍ୟତମ ପ୍ରତିଷ୍ଠାତା ନେତା ଶିବୁ ପାଖାପାଖି ଚାରି ଦଶନ୍ଧି ଧରି ଦଳର ନେତୃତ୍ୱ ନେଇଥିଲେ। ସେ ୧୯୮୭ରେ ଏହାର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଏହାର ନିର୍ବିବାଦୀୟ ସଭାପତି ରହିଥିଲେ। ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ଆନ୍ଦୋଳନରେ ସେ ଅଗ୍ରଣୀ ନାୟକ ଥିଲେ ଏବଂ ୨୦୦୫ ମାର୍ଚ୍ଚରେ, ଅଗଷ୍ଟ ୨୦୦୮ରୁ ଜାନୁଆରି ୨୦୦୯ ପର୍ଯ୍ୟନ୍ତ ଏବଂ ଡିସେମ୍ବର ୨୦୦୯ରୁ ମେ ୨୦୧୦ ପର୍ଯ୍ୟନ୍ତ ତିନି ଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଯଦିଓ ରାଜନୈତିକ ଅସ୍ଥିରତା କାରଣରୁ ସେ କୌଣସି ଥର ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରି ନ ଥିଲେ। ସଂଖ୍ୟାଗରିଷ୍ଠତା ଅଭାବରୁ ୨୦୦୫ରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର ୯ ଦିନ ଥିଲା। ସେ ୨୦୦୪ରୁ ୨୦୦୬ ମଧ୍ୟରେ ତିନୋଟି ପୃଥକ୍ କାର୍ଯ୍ୟକାଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୬ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶିବୁ ୧୯୮୦ରୁ ୨୦୦୫ ମଧ୍ୟରେ ଗୃହକୁ ପ୍ରତିନିଧିତ୍ୱ କରିଥିଲେ। ସେ ୩ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସୋରେନ ୧୯୪୪ ମସିହା ଜାନୁଆରି ୧୧ ତାରିଖରେ ବର୍ତ୍ତମାନର ଝାଡ଼ଖଣ୍ଡର ନେମରା ଗାଁର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଛାତ୍ର ଥିବା ବେଳେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ସାହୁକାରଙ୍କ ଦ୍ୱାରା ନିଯୁକ୍ତ ଗୁଣ୍ଡାମାନଙ୍କ ଦ୍ୱାରା ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ତାଙ୍କର ପ୍ରାରମ୍ଭିକ ରାଜନୈତିକ ଜୀବନକୁ ସୁଦୃଢ଼ କରିଥିଲା ଏବଂ ସେ ଆଦିବାସୀ ଅଧିକାରର ଜଣେ ଦୃଢ଼ ସମର୍ଥକ ଥିଲେ। ଆଦିବାସୀମାନଙ୍କ ପାଇଁ ଜମି ଅଧିକାର ଓ ଜମିଦାରଙ୍କ ଶୋଷଣ ପ୍ରଥାକୁ ସେ ବିରୋଧ କରି ପ୍ରସିଦ୍ଧି ଲାଭ କରିଥିଲେ। ମାତ୍ର ୧୮ ବର୍ଷ ବୟସରେ ସେ ସାନ୍ତାଳ ନବଯୁବକ ସଂଘ ପ୍ରତିଷ୍ଠା କରିଥିଲେ। ୧୯୭୨ ମସିହାରେ ସେ ବଙ୍ଗୀୟ ମାର୍କ୍ସବାଦୀ ଟ୍ରେଡ୍ ୟୁନିୟନବାଦୀ ଏକେ ରାୟ ଓ କୁର୍ମି-ମାହାତୋ ନେତା ବିନୋଦ ବିହାରୀ ମାହାତୋଙ୍କ ସହ ମିଶି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଗଠନ କରିଥିଲେ। ଦଳର ମୂଳ ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କ ପାଇଁ ଏକ ଅଲଗା ରାଜ୍ୟ ଗଠନ କରିବା, ଯାହା ଶେଷରେ ଝାଡ଼ଖଣ୍ଡ ଗଠନ ସହିତ ୨୦୦୦ରେ ପୂରଣ ହୋଇଥିଲା।
ସୋରେନଙ୍କ ରାଜନୈତିକ ଯାତ୍ରା ମଧ୍ୟ ୧୯୭୫ ଚିରୁଡିହ ଗଣହତ୍ୟାରେ ତାଙ୍କର ସମ୍ପୃକ୍ତି ଏବଂ ୧୯୯୪ରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ହତ୍ୟା ସମେତ ବିବାଦ ଏବଂ ଆଇନଗତ ଲଢ଼େଇ ଦ୍ୱାରା ପ୍ରଭାବିତ ହୋଇଥିଲା। ପରେ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିଥିଲା।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ଶିବୁ ସୋରେନଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଶିବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସାର୍ ଗଙ୍ଗାରାମ ହସ୍ପିଟାଲ ଯାଇଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଶିବୁଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ବଡ଼ କ୍ଷତି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଶିବୁଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ତାଙ୍କ ପିତାଙ୍କ ବିୟୋଗରେ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋରେନଙ୍କୁ ‘ଲୋକଙ୍କ ପ୍ରତି ତାଙ୍କର ଅତୁଟ ସମର୍ପଣ’ ପାଇଁ ସ୍ମରଣ କରିବା ସହ ତାଙ୍କୁ ଗରିବ ଲୋକଙ୍କ ସଶକ୍ତୀକରଣ ପାଇଁ ଜଣେ ପ୍ରତିଶ୍ରୁତିବଦ୍ଧ ନେତା ଭାବେ ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଶିବୁ ସୋରେନ ଜଣେ ତୃଣମୂଳ ସ୍ତରର ନେତା ଥିଲେ ଯିଏ କି ଆଦିବାସୀ ସମ୍ପ୍ରଦାୟ, ଗରିବ ଓ ପଛୁଆବର୍ଗଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଥିଲେ। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋରେନଙ୍କୁ ଏପରି ଜଣେ ନେତା ବୋଲି କହିଛନ୍ତି ଯିଏ ସବୁବେଳେ ଦେଶ ଓ ଲୋକଙ୍କ ସହ ଜଡ଼ିତ ରହିଥିଲେ। ତାଙ୍କ ବିୟୋଗ ମୋତେ ବହୁତ ଦୁଃଖ ଦେଇଛି ବୋଲି ସିଂହ କହିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିବୁଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ଆମେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ଯାଦବ କହିଛନ୍ତି ଯେ ସୋରେନଙ୍କ ବିୟୋଗ ରାଜନୀତି ପାଇଁ ଏକ ବଡ଼ କ୍ଷତି। ସେ ଦଳିତ ଓ ଆଦିବାସୀଙ୍କର ଜଣେ ମହାନ ନେତା ଥିଲେ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଏହା ରାଜନୀତି ପାଇଁ ଏକ ବଡ଼ କ୍ଷତି ବୋଲି ଲାଲୁ ଯାଦବ କହିଛନ୍ତି। 

୩ ଦିନିଆ ରାଜ୍ୟ ଶୋକ ପାଳନ 
ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ ପରେ ଝାଡ଼ଖଣ୍ଡ ସରକାର ସୋମବାର ଅଗଷ୍ଟ ୪ରୁ ୬ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ରହିବ ଏବଂ ଅଗଷ୍ଟ ୪ ଓ ୫ ତାରିଖରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଝାଡ଼ଖଣ୍ଡର ସମସ୍ତ ସରକାରୀ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।