ଅଧାରେ ରହିଗଲା ସ୍ୱାମୀଙ୍କୁ ଦେଇଥିବା ପ୍ରତିଶ୍ରୁତି, ଇଥିଓପିଆନ୍‌ ବିମାନ ଦୁର୍ଘଟଣାରେ ଆର ପାରିକୁ ଚାଲିଗଲେ ଶିଖା ଗର୍ଗ

ନୂଆଦିଲ୍ଲୀ : ରବିବାର ସକାଳ ସମୟରେ ଇଥିଓପିଆରୁ କେନିଆର ରାଜଧାନୀ ନାଇରୋବି ଯାଉଥିବା ଇଥିଓପିଆନ୍‌ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡ଼ାଣ ଭରିବାର ୬ମିନିଟ୍‌ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନ ମଧ୍ୟରେ ଥିବା ୧୪୯ଯାତ୍ରୀ ଏବଂ ୮ଜଣ କ୍ର୍ୟୁ ମେମ୍ବର ପ୍ରାଣ ହରାଇଥିଲେ । ୧୪୯ଯାତ୍ରୀଙ୍କ ମଧ୍ୟରେ ୪ଜଣ ଭାରତୀୟ ଥିଲେ ବୋଲି ଜଣା ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରେ ପାରିବେଶିକ ମନ୍ତ୍ରାଳୟର ପରାମର୍ଶଦାତା ଶିଖା ଗର୍ଗ ମଧ୍ୟ ରହିଥିଲେ । ସେ ନାଇରୋବିରେ ହେବାକୁ ଥିବା ୟୁନାଇଟେଡ୍‌ ନେସନର ଏକ ପାରିବେଶିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା, ଏହା ତାଙ୍କାର ଶେଷ ଯାତ୍ରା । ଶିଖାଙ୍କ ମୃତ୍ୟୁ ଖବର ଆସିବା ପରେ ଏ ପର୍ଯ୍ୟନ୍ତ ତାହାକୁ ବିଶ୍ୱାସ କରି ପାରୁ ନାହାନ୍ତି ସ୍ୱାମୀ ସୌମ୍ୟ ଭଟ୍ଟାଚାର୍ଯ୍ୟ । ୩ ମାସ ତଳେ ବିବାହ କରିଥିବା ଶିଖା ନିଜ ବୈବାହିକ ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ, ଯାହା ଏବେ ଆଉ ପୂରା ହୋଇ ପାରିବ ନାହିଁ ।

ସୂଚନା ମୁତାବକ, ୩ବର୍ଷ ଡେଟ୍‌ କରିବା ପରେ ସୌମ୍ୟ ଏବଂ ଶିଖା ପରସ୍ପରକୁ ବିବାହ କରିଥିଲେ । ୩ମାସ ତଳେ ଦୁହେଁ ବିବାହ କରିଥିବା ବେଳେ ଅଧିକ କାମ ଥିବାରୁ ଦୁହେଁ ବାହାରକୁ ବୁଲି ଯାଇ ପାରି ନଥିଲେ । ନାଇରୋବିରୁ ଆସିବା ପରେ ଆମେ ବୁଲିବାକୁ ଯିବା ବୋଲି ସୌମ୍ୟଙ୍କୁ ଶିଖା ବିମାନରେ ବସିଥିବା ବେଳେ କହିଥିଲେ। ମାତ୍ର  କିଛି ସମୟ ପରେ ସବୁ କିଛି ବଦଳି ଯାଇଥିଲା । ସବୁଠାରୁ ବଡ଼ କଥା ହେଲା, ସୌମ୍ୟ ମଧ୍ୟ ସେହି ବିମାନରେ ଯିବାର ପୂର୍ବ ଯୋଜନା ରହିଥିଲା । କିନ୍ତୁ ବିମାନରେ ବସିବାର କିଛି ସମୟ ପୂର୍ବରୁ ତାଙ୍କର ଜରୁରୀ କାମ ଆସିବା ପରେ ସେ ଟିକେଟ୍‌ ରଦ୍ଦ କରି ଦେଇଥିଲେ ।

Tolivelugu.com

ବିମାନରେ ବସିବା ପରେ ଶିଖା ସୌମ୍ୟଙ୍କୁ ମେସେଜ୍‌ କରିଥିଲେ, “ମୁଁ ବିମାନରେ ବସିଲି । ବିମାନ ଅବତରଣ କରିବା ପରେ ତୁମକୁ ଫୋନ କରିବି।’ ଏହା ଶିଖାଙ୍କର ଶେଷ ମେସେଜ ଥିଲା । ଏହି ମେସେଜ ପଢ଼ିବା ପୂର୍ବରୁ ସୌମ୍ୟଙ୍କୁ ବିମାନ ଦୁର୍ଘଟଣା ହେବାର ଖବର ମିଳି ଯାଇଥିଲା ।

ସମ୍ବନ୍ଧିତ ଖବର