ନୂଆଦିଲ୍ଲୀ: ପତ୍ନୀ ଆୟେଶା ମୁଖାର୍ଜୀଙ୍କଠାରୁ ଛାଡ଼ପତ୍ର ନେଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧାୱନ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶିଖର ଧୱନଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି। କିଛି ମୁଖ୍ୟ କାରଣରୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ କାରଣଟି ହେଲା ଯେ ଆୟେଶା, ଶିଖର ଧୱନଙ୍କୁ ମାନସିକ ଯନ୍ତ୍ରଣା ଦେଇ ତାଙ୍କୁ ଏକମାତ୍ର ପୁଅଠାରୁ ବର୍ଷ ବର୍ଷ ଧରି ଅଲଗା ରହିବାକୁ ବାଧ୍ୟ କରିଥିଲେ।

Advertisment

ଛାଡ଼ପତ୍ର ଆବେଦନରେ ଶିଖର ଧୱନ କହିଥିଲେ ଯେ ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ଶୁଣାଣି ସମୟରେ ଜଜ୍ ହରିଶ କୁମାର ଏହି ଅଭିଯୋଗକୁ ସତ୍ୟ ବୋଲି ଗ୍ରହଣ କରିବା ସହ ଧୱନଙ୍କ ଛାଡ଼ପତ୍ର ଆବେଦନ ଗ୍ରହଣ କରିଛନ୍ତି। ବିଚାରପତି ତାଙ୍କ ଆଦେଶରେ କହିଛନ୍ତି ଯେ ଧୱନଙ୍କ ପତ୍ନୀ ଉପରୋକ୍ତ ଅଭିଯୋଗକୁ ବିରୋଧ କରିନଥିଲେ ଓ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଚେଷ୍ଟା କରିନଥିଲେ। ତେଣୁ ଧୱନଙ୍କ ଦାବିକୁ ସତ ବୋଲି ଗ୍ରହଣ କରାଯାଉଛି।

ତେବେ ଛାଡ଼ପତ୍ର ଆବେଦନ ଗ୍ରହଣ କରିଥିଲେ ବି କୋର୍ଟ ଧୱନ ଏବଂ ଆୟେଶାଙ୍କ ପୁଅ ଜୋରାବରଙ୍କ କଷ୍ଟଡି ଉପରେ କୌଣସି ଆଦେଶ ଦେଇନାହାଁନ୍ତି। ହେଲେ କୋର୍ଟ ଧୱନଙ୍କୁ ତାଙ୍କ ପୁଅଙ୍କୁ ଭେଟିବା ଏବଂ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସହ କଥାବାର୍ତ୍ତା କରିବାର ଅଧିକାର ଦେଇଛନ୍ତି। କୋର୍ଟ ଆୟେଶାଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଜୋରାବରଙ୍କୁ ତାଙ୍କ ସ୍କୁଲ ଛୁଟିଦିନରୁ ଅଧା ଦିନ ଧୱନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବାକୁ ପଠାଇବେ। ଶିଖର ଧାୱନଙ୍କର ଜଣେ ନାଗରିକ ତଥା ଦାୟିତ୍ବବାନ ପିତା ଭାବରେ ତାଙ୍କ ପୁଅକୁ ଭେଟିବା ଏବଂ ତାଙ୍କ ସହ କିଛି ସମୟ ବିତାଇବାର ଅଧିକାର ରହିଛି ବୋଲି ବିଚାରପତି କହିଛନ୍ତି।