ମୁମ୍ବାଇ : ‘ସହି ପକ୍ଡେ ହେଁ’ ଡାଇଲଗ୍ ପାଇଁ ଖ୍ୟାତ ଟିଭି ଧାରାବାହିକ ‘ଭାବୀ ଜୀ ଘର ପର ହୈ’ର ‘ଅଙ୍ଗୁରୀ ଭାବୀ’ ଶିଳ୍ପା ସିନ୍ଦେ ଚଳିତ ବର୍ଷର ବିଗ୍ ବସ୍ ସିଜନ-୧୧ ବିଜୟିନୀ ଘୋଷିତ ହୋଇଛନ୍ତି। ବିଗ ବସ୍ଙ୍କ ଘରେ ଶିଳ୍ପା ସିନ୍ଦେ ୧୦୫ଦିନ କଟାଇଥିଲେ। ଆଜି ସନ୍ଧ୍ୟାରେ ଗ୍ରାଣ୍ଡଫାଇନାଲ୍ ସମୟରେ ୪ ଜଣ ପ୍ରତିଯୋଗୀ ରହିଥିଲେ। ଘରୁ ପ୍ରଥମେ ପୁନିଷ ଶର୍ମା ବାହାରିଥିଲେ ଯିଏ କି ଚତୁର୍ଥ ସ୍ଥାନରେ ରହିଥିଲେ। ଏହାପରେ ପାଳି ଆସିଲା ବିକାଶ ଗୁପ୍ତାଙ୍କର । ଗୁପ୍ତା ତୃତୀୟ ସ୍ଥାନରେ ରହିଛନ୍ତି। ଶେଷରେ ଶିଳ୍ପା ସିନ୍ଦେ ଏବଂ ହିନା ଖାନ୍ଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ବାଜି ମାରିନେଇଥିଲେ ଶିଳ୍ପା। ବିଗ୍ ବସ୍ ସଂଚାଳକ ସଲମାନ ଖାଁ ତାଙ୍କୁ ବିଜୟୀ ଘୋଷଣା କରିଥିଲେ। ବିଜେତାଙ୍କୁ ଟ୍ରଫି ସହିତ ୪୪ ଲକ୍ଷ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି ।
୧୯୯୯ରେ ଟିଭି କ୍ୟାରିୟର ଆରମ୍ଭ କରିଥିବା ଶିଳ୍ପା ‘ଅଙ୍ଗୁରୀ ଭାବୀ’ ଚରିତ୍ର ପାଇଁ ବେଶ୍ ଲୋକପ୍ରିୟ ହୋଇଛନ୍ତି।