ଶିଳ୍ପାଙ୍କ ଦାବି: ସ୍ବାମୀ ରାଜ କୁନ୍ଦ୍ରା ନିରୀହ, ଫେମାରେ ମାମଲା ରୁଜୁ କରିପାରେ ଇଡି

ମୁମ୍ବାଇ: ବିଭିନ୍ନ ଅଶ୍ଳୀଳ ଫିଲ୍ମ ଓ ଭିଡିଓ ତିଆରି କରିବା ସହ ଆପ୍ ମାଧ୍ୟମରେ ସେଗୁଡ଼ିକର ପ୍ରସାରଣ କରିବା ଅଭିଯୋଗରେ ଗିରଫ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଘରେ ଶୁକ୍ରବାର ମୁମ୍ବାଇ ପୁଲିସ ଚଢ଼ଉ କରିବା ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ଜେରା କରିଛି। ପୁଲିସ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପା କହିଛନ୍ତି ଯେ ତାଙ୍କ ସ୍ବାମୀ ନିରୀହ ଏବଂ ଏସବୁ ଜିନିଷ ସେମାନଙ୍କ ଆପ୍ ହଟ୍‌ସଟ୍‌ରେ କେମିତି ଆସିଲା, ତାହା ସେ ଜାଣନ୍ତି ନାହିଁ। ସେ ପୁଣି କହିଛନ୍ତି ଯେ, ଏଗୁଡ଼ିକ ଉତ୍ତେଜକ (ଇରୋଟିକ୍) କିନ୍ତୁ ଅଶ୍ଳୀଳ (ପର୍ଣ୍ଣୋଗ୍ରାଫିକ୍) ନୁହେଁ।

ଜେରାବେଳେ ଶିଳ୍ପା କହିଛନ୍ତି, ହଟ୍‌ସଟ୍‌ ସହ ତାଙ୍କର କିଛି ସମ୍ବନ୍ଧ ନାହିଁ। ତାଙ୍କ ମତରେ ଇରୋଟିକ୍‌ (କାମୋଦ୍ଦୀପକ) ଓ ପର୍ଣ୍ଣ ( ଅଶ୍ଳୀଳ) ଭିନ୍ନ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ଣ୍ଣ କଣ୍ଟେଣ୍ଟ ପ୍ରସ୍ତୁତି ସହ ଜଡ଼ିତ ନୁହନ୍ତି। ଶିଳ୍ପା କହିଛନ୍ତି ଯେ, ରାଜଙ୍କ ଭିଣେଇ ପ୍ରଦୀପ ବକ୍ସି ହଟ୍‌ସଟ୍ ଆପ୍ ସହ ସମ୍ପୃକ୍ତ ଏବଂ ସେ ହିଁ ଏହାର ପରିଚାଳନା କରନ୍ତି। ମୁମ୍ବାଇ ‌ପୁଲିସର ଅପରାଧ ଶାଖା ଶିଳ୍ପାଙ୍କ ଘର ସର୍ଚ୍ଚ କରି ଗୋଟିଏ ଲାପ୍‌ଟପ୍ ଜବତ କରିଥିବା ଜଣାପଡ଼ିଛି। ଶିଳ୍ପା ଶେଟ୍ଟୀ ରାଜଙ୍କ ଫାର୍ମ ଭାୟାନ୍ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଥିବାରୁ ପୁଲିସ ତାଙ୍କୁ ଜେରା କରିବାକୁ ଚାହିଁଥିଲା। ତେବେ ଶିଳ୍ପା ଉକ୍ତ ପଦବିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଗାୟକ ଅନୁରାଗ ମୌର୍ଯ୍ୟ କହିଛନ୍ତି ଯେ, ହଟ୍‌ସଟ୍‌ ଆପ୍‌ରେ ପ୍ରକାଶ ପାଉଥିବା ଫିଲ୍ମ ପାଇଁ ସେ ଗୀତ ଗାଆନ୍ତି। କିନ୍ତୁ ଅଜାଣତନରେ ସେ ଏହି ପର୍ଣ୍ଣ ଫିଲ୍ମ ରୢାକେଟ୍‌ର ଶିକାର ହୋଇଯାଇଛନ୍ତି। ତାଙ୍କୁ ଅଭିନେତ୍ରୀ ଗେହନା ବଶିଷ୍ଠ ତାଙ୍କ ଓଟିଟି ଫିଲ୍ମ ‘ଛାଟ୍‌’, ‘ଲଭ୍ ଡୁଓ’, ଥାର୍କି ଛୋଟୁ’ ପ୍ରଭୃତି ପାଇଁ ଗୀତ ଗାଇବାକୁ ୨୦୨୦ ମସିହାରେ ଯୋଗ‌ାଯୋଗ କରିଥିଲେ। ଏହି ଫିଲ୍ମଗୁଡ଼ିକ ହଟ୍‌ସଟ୍‌ ଆପ୍‌ରେ ପ୍ରକାଶ ପାଇଛି ଏବଂ ଏହାର ୟୁଟ୍ୟୁବ୍ ଲିଙ୍କ୍‌ ତାଙ୍କ ପାଖକୁ ପଠାଯାଇଛି। କିନ୍ତୁ ଏଗୁଡ଼ିକରେ ଅଶ୍ଳୀଳ ଜିନିଷ ରହୁଥିବା ବିଷୟରେ ସେ ଆଗରୁ ଜାଣି ନ ଥିଲେ ଏବଂ ଏବେ ଜାଣିବା ପରେ ଭାବୁଛନ୍ତି ଯେ ଅଭିନେତ୍ରୀ ଜଣକ ତାଙ୍କୁ ପ୍ରତାରଣା କରିଛନ୍ତି। ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ନାମରେ ଫେମା (ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜ୍‌ମେଣ୍ଟ ଆକ୍ଟ) ଅଧୀନରେ କେସ୍ ରୁଜୁ କରିପାରେ ଏବଂ ତାଙ୍କୁ ମଧ୍ୟ ଇଡି ଜେରାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ମୁମ୍ବାଇ ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର