ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରୁ ଅଶ୍ଲୀଳ ଭିଡିଓ ଲିକ୍ ଘଟଣା; ଅଭିଯୁକ୍ତ ଯୁବତୀଙ୍କ ପରେ ପ୍ରେମିକକୁ ଗିରଫ କଲା ପୁଲିସ

ଚଣ୍ଡୀଗଡ଼: ଅନ୍‌ଲାଇନ୍‌ରେ ଜଣେ ଝିଅ ତା’ର ହଷ୍ଟେଲ୍‌ ସାଥୀମାନଙ୍କ ଅଶ୍ଲୀଳ ଭିଡିଓ ଲିକ୍‌ କରିଥିବା ଅଭିଯୋଗ ହେବା ପରେ ଶନିବାର ରାତି ଅଧରେ ମୋହାଲିସ୍ଥିତ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ପରିସରରେ ପ୍ରବଳ ପ୍ରତିବାଦ ଆରମ୍ଭ ହୋଇଥିଲା। ଛାତ୍ରୀମାନେ ଦାବି କରିଥିଲେ ଯେ, ଅଭିଯୁକ୍ତ ଯୁବତୀ ପ୍ରାୟ ୬୦ଜଣ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ରେକର୍ଡ କରି ଶିମଲାରେ ଥିବା ନିଜ ପ୍ରେମିକକୁ ପଠାଇଛନ୍ତି। ଏଭଳି ଦାବି ମଧ୍ୟରେ ସତ କ’ଣ ଜାଣିବା ପାଇଁ ଅଭିଯୁକ୍ତ ଯୁବତୀଙ୍କ ପରେ ଶିମଲାରୁ ତାଙ୍କ ପ୍ରେମିକ ବୋଲି କୁହାଯାଉଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ। ଏହା ସହ ଯୁବତୀଙ୍କ ଫୋନକୁ ଫରେନସିକ ଯାଞ୍ଚ ପାଇଁ ପଠାଯିବ ବୋଲି କହିଛି ପୁଲିସ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ଏକ ବିବୃତି ଜାରି କରି କହିଛି ଯେ, କେବଳ ଗୋଟିଏ ଭିଡିଓ ଲିକ୍ ହୋଇଛି। ତାହା ପୁଣି ଅଭିଯୁକ୍ତର। ଅଭିଯୁକ୍ତ ଯୁବତୀ ନିଜର ଯେଉଁ ଭିଡିଓ ଶିମଲାରେ ଥିବା ପ୍ରେମିକକୁ ପଠାଇଥିଲେ , ସେଇ ଭିଡିଓ ହିଁ ଲିକ୍ ହୋଇଥିବା କହିଛି ବିଶ୍ୱବିଦ୍ୟାଳୟ। ଏହା ସହ ଏହି ଘଟଣା ପାଇଁ ୭ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ମିଛ। ସେଭଳି କିଛି ହୋଇନାହିଁ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ଯେ, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଥିବା ଘଟଣା ବିଷୟରେ ଶୁଣି ଦୁଃଖିତ | ଆମର ଝିଅମାନେ ଆମର ଗର୍ବ। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ଯିଏ ଦୋଷୀ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି। ଗୁଜବକୁ ବିଶ୍ବାସ ନକରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି।

ସମ୍ବନ୍ଧିତ ଖବର