ଦେବେନ୍ଦ୍ର ଫଡ଼ନାବୀସଙ୍କୁ ଭେଟିବାକୁ ମୁମ୍ବା‌ଇରେ ପହଞ୍ଚିଲେ ଏକନାଥ ସିନ୍ଦେ

ମୁମ୍ବାଇ:  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବୀସଙ୍କୁ ଭେଟିବାକୁ ଗୋଆରୁ ଯାଇ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କ ନେତା‌ ଏକନାଥ ସିନ୍ଦେ। ସେ ମୁମ୍ବାଇରେ ଦେବେନ୍ଦ୍ର ଫଡ଼ନାବୀସଙ୍କ ସହ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ମଧ୍ୟ ଭେଟିବେ ବୋଲି ସୂଚନା ରହିଛି। ସେଠାରେ ସେମାନଙ୍କ ସାକ୍ଷାତ୍‌କାଳରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ଆଲୋଚନା ହେବ ବୋଲି ସ୍ଥିର ହୋଇଛି।

ବୁଧବାର ରାତିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବା ପରେ ଆଜି ସକାଳେ ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ ବାତିଲ କରାଯାଇଛି।

ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି ଯେ, ଆଗାମୀକାଲି ମହାରାଷ୍ଟ୍ରର ୨୦ ତମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀସ ଶପଥ ଗ୍ରହଣ କରିପାରନ୍ତି। ବିଜେପି ସହିତ ମିଶି ସରକାର ଗଠନ କରିବାକୁ ଆଗ୍ରହୀ ଥିବା ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଶପଥ ଗ୍ରହଣ ଉତ୍ସବରେ ସମସ୍ତ ବିଦ୍ରୋହୀ ସେନା ବିଧାୟକ ଏବଂ ସ୍ବାଧୀନ ବିଧାୟକମାନେ ମଧ୍ୟ ଉପସ୍ଥିତ ରହି‌ବେ।

ଏହା ବ୍ୟତିରେକେ, ୧୨ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ। ୩ ଜଣ ସ୍ବାଧୀନ ଏବଂ ‘ପ୍ରହାର’ ଭଳି ଛୋଟ ଦଳର ବିଧାୟକଙ୍କୁ ପରେ ‘ବିଜେପି’ ଅଥବା ‘ସିନ୍ଦେ’ କ୍ବୋଟାରେ ପଦବୀ ମିଳିପାରେ।

ତେଣେ, ଆଜି ପୂର୍ବାହ୍ନ ୧୦ଟାରୁ ଗୋଆସ୍ଥିତ ହୋଟେଲ ତାଜ୍‌ରେ ଶିବସେନ‌ାର ବିଦ୍ରୋହୀ ବିଧାୟକମାନଙ୍କୁ ନେଇ ବୈଠକ ଆରମ୍ଭ ହୋଇଛି । ସେହିପରି, ଶିବସେନା ବିଦ୍ରୋହୀ ଗୋଷ୍ଠୀଙ୍କ ସହ ମେଣ୍ଟ କରିବା ଆଗରୁ ପୂର୍ବାହ୍ନ ୧୧ଟାରେ ବିଜେପିର କୋର୍‌ କମିଟି ବୈଠକ ହୋଇଛି।

ସମ୍ବନ୍ଧିତ ଖବର