ସଞ୍ଜୟ ରାଉତଙ୍କୁ ସଂସଦରେ ଦଳର ନେତା ପଦରୁ ବହିଷ୍କାର କଲେ ସିନ୍ଦେ

ମୁମ୍ବାଇ/ ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ଆଜି (ଗୁରୁବାର) ସଂସଦୀୟ ଦଳର ନେତା ପଦରୁ ବହିଷ୍କାର କରିବା ସହ ଲୋକସଭା ସାଂସଦ ଗଜାନନ କୀର୍ତ୍ତିିକରଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିଛି।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଚିଠି ଲେଖି ଶିବସେନାର ମୁଖ୍ୟ ସିନ୍ଦେ କହିଛନ୍ତି ଯେ କୀର୍ତ୍ତିକରଙ୍କୁ ଶିବସେନା ସଂସଦୀୟ ଦଳର ନୂତନ ନେତା ଭାବେ ନିଯୁକ୍ତ କରାଯାଇଛି।

ସଂସଦୀୟ ଦଳର ନୂତନ ନେତା ଭାବେ ନିଯୁକ୍ତ ହେବାପରେ କୀର୍ତ୍ତିିକରଙ୍କୁ ଶିବସେନା ନେତାମାନେ ଗୁରୁବାର ସଂସଦ ଭବନର ତୃତୀୟ ମହଲାରେ ଥିବା ସଂସଦୀୟ ଦଳ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସଭାରେ ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୪ ଜଣଙ୍କର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପ୍ରତି ଆନୁଗତ୍ୟ ରହିଛି, ଯିଏ ସିନ୍ଦେଙ୍କ ଠାରୁ ଦଳର ନିୟନ୍ତ୍ରଣ ହରାଇଥିଲେ। ଉଦ୍ଧବ ଠାକରେ ଶିବସେନା ଦଳର ମୂଳ ଆଦର୍ଶ ସହ ବୁଝାମଣା କରିବା ସହ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ଏନସିପି ସହ ହାତ ମିଳାଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଅଭିଯୋଗ କରି ସିନ୍ଦେ ଗତବର୍ଷ ଶିବସେନାକୁ ବିଭାଜିତ କରିଥିଲେ।

ଗତ ମାସରେ ନିର୍ବାଚନ କମିଶନ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ମାନ୍ୟତା ଦେବା ସହ ଏହାକୁ ଦଳର ମୂଳ ନାମ ଓ ନିର୍ବାଚନ ଚିହ୍ନ ଆବଣ୍ଟନ କରିଥିଲେ। ରାଜ୍ୟସଭାରେ ଶିବସେନାର ୩ ଜଣ ସଦସ୍ୟ ସଞ୍ଜୟ ରାଉତ, ଅନୀଲ ଦେଶାଇ ଏବଂ ପ୍ରିୟଙ୍କା ଚତୁର୍ବେଦୀ ଅଛନ୍ତି।

ସମ୍ବନ୍ଧିତ ଖବର