ନୂଆଦିଲ୍ଲୀ: ବିଦ୍ରୋହୀ ଶିବସେନା ଗୋଷ୍ଠୀ ମହାରାଷ୍ଟ୍ର ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାପରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଅତି ଜଟିଳ ରୂପ ନେଇଛି। ମହାରାଷ୍ଟ୍ର ସରକାରର ଭବିଷ୍ୟତ ନେଇ ଅନିଶ୍ଚିତତା ଜାରି ରହିଛି। ଇତି ମଧ୍ୟରେ ଖବର ମିଳିଛି ଯେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏମ୍ଏନ୍ଏସ୍ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ ଠାକ୍ରେଙ୍କୁ ଫୋନ୍ କରିଛନ୍ତି। ସିନ୍ଦେ ରାଜ୍ ଠାକ୍ରେଙ୍କୁ ପ୍ରାୟ ୨-୩ ଥର ଫୋନ୍ କରି ମହାରାଷ୍ଟ୍ର ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। ବର୍ତ୍ତମାନ ସ୍ଥିତିରେ ସିନ୍ଦେ ଗୋଷ୍ଠୀ ଏମ୍ଏନ୍ଏସ୍ ସହ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ସାକିନାକାରେ ନିକଟରେ ଏମ୍ଏନ୍ଏସ୍ ଏକ ପୋଷ୍ଟର୍ ମାରିଥିଲା। ଏହି ପୋଷ୍ଟର୍ରେ ଲେଖାଥିଲା, ‘କେମିତି ଲାଗୁଛି’। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଭାଇ ଉଦ୍ଧବ ଠାକ୍ରେଙ୍କ କଟା ଘା’ରେ ଏହା ଲୁଣ ମାରିବା ସଦୃଶ। କିନ୍ତୁ ସିନ୍ଦେ ଲଗାତାର ଭାବେ ରାଜ୍ ଠାକରେଙ୍କ ସହ କଥା ହୋଇଥିବାରୁ ସିନ୍ଦେ ଗୋଷ୍ଠୀ ଏମ୍ଏନ୍ଏସ୍ ସହ ମିଶିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ରାଜ୍ ଠାକ୍ରେ ନିଜକୁ ନିଜ କାକାଙ୍କ ଉତ୍ତରାଧିକାରୀ ବୋଲି ଭାବିଥିଲେ। କିନ୍ତୁ ଉଦ୍ଧବ ଉତ୍ତରାଧିକାରୀ ହେବାରୁ ରାଜ୍ ଠାକ୍ରେ ନିରାଶ ହୋଇ ଶିବସେନା ଛାଡ଼ି ନିଜର ଦଳ ଆରମ୍ଭ କରିଥିଲେ।