ନୂଆଦିଲ୍ଲୀ: ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରୁ ଓହରିଯାଇଛନ୍ତି । ଆଜି ଅପରାହ୍ନରେ ଏ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ସେ କହିଛନ୍ତି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପି ଯେଉଁ ନିଷ୍ପତ୍ତି ନେବ ତାହାକୁ ଶିବସେନା ସମ୍ପୂର୍ଣ୍ଣ ସମର୍ଥନ କରିବ। ମୁଖ୍ୟମନ୍ତ୍ରୀ ଚୟନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ମୁଁ ଗ୍ରହଣ କରିବି ଏବଂ ଏ ଦିଗରେ କୌଣସି ପ୍ରତିବନ୍ଧକ ହେବିନାହିଁ ବୋଲି ସିନ୍ଦେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ରାଜ୍ୟରେ ଲାଗି ରହିଥିବା ରାଜନୈତିକ ଅଚଳାବସ୍ଥା ଦୂର କରିବା ସହ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚୟନ ନେଇ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ। ଏହି ପ୍ରସଙ୍ଗରେ ମହାୟୁତି ମଧ୍ୟରେ ମତଭେଦ ଥିବା ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।
ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା
ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିରେ ପ୍ରତିବନ୍ଧକ ହେବେନି
ସିନ୍ଦେ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଫୋନ୍ କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବା ନେଇ ନିଷ୍ପତ୍ତି ନେବାକୁ କହିଥିଲି। ମୁଁ ତାଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲି ଯେ ମୁଁ ବିଜେପିର ସମସ୍ତ ନିଷ୍ପତ୍ତିକୁ ଗ୍ରହଣ କରିବି। ଆମେ ମହାରାଷ୍ଟ୍ରର ବିକାଶ ପାଇଁ ମିଳିତ ଭାବେ କାମ କରୁଛୁ ଏବଂ ଏହା ଜାରି ରହିବ ବୋଲି ସିନ୍ଦେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହିଁ ଏନ୍ଡିଏ ପରିବାରର ମୁଖ୍ୟ ଏବଂ ତାଙ୍କର ନିଷ୍ପତ୍ତି ହିଁ ମେଣ୍ଟ ପାଇଁ ଚୂଡ଼ାନ୍ତ ଏବଂ ଏଥିରେ କାହାର କିଛି ଦ୍ବିମତ ରହିବା ଉଚିତ ନୁହେଁ। ସିନ୍ଦେ କହିଛନ୍ତି, ‘ମୁଁ ଜଣେ ସାଧାରଣ ଲୋକଙ୍କ ଭଳି କାମ କରିଛି ଏବଂ କେବେ ବି ନିଜକୁ ଜଣେ ମୁଖ୍ୟମନ୍ତ୍ରୀ ବୋଲି ଭାବିନାହିଁ। ମୁଁ ଏହା ନିଷ୍ପତ୍ତି ନେଇଛି ଯେ ଯେତେବେଳେ ବି ମୁଁ କ୍ଷମତାକୁ ଆସିବି ସେତେବେଳେ ମୁଁ ଲୋକଙ୍କ ପାଇଁ କିଛି କରିବି। କାରଣ ମୁଁ ଏକ ଗରିବ ପରିବାରରୁ ଆସିଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ମୁଁ କରିଥିବା କାମରେ ନିଜେ ସନ୍ତୁଷ୍ଟ ବୋଲି ସିନ୍ଦେ କହିଛନ୍ତି।
ବିଜେପି ଆଶ୍ବସ୍ତ, ଦିଲ୍ଲୀରେ ମହାୟୁତି ନେତାଙ୍କ ବୈଠକ ଆଜି
ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଲାଗି ରହିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାକୁ ଯାଉଛି। କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଯିବା ସହ ବିଜେପିର ଚିନ୍ତା କମିଛି ଏବଂ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମହାୟୁତି ସରକାରରେ ବିଜେପିର ମୁଖ୍ୟମନ୍ତ୍ରୀ ରହିବେ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଏନ୍ସିପିରୁ ଜଣେ ଏବଂ ଶିବସେନାରୁ ଜଣେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି। ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିବ ବୋଲି ଏବେ ଅନୁମାନ କରାଯାଉଛି। ଆସନ୍ତାକାଲି (ଗୁରୁବାର) ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହେବ।
ଏଥିରେ ତିନି ମହାୟୁତି ନେତା ଦେବେନ୍ଦ୍ର ଫଡ଼ନାବିସ, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଉପସ୍ଥିତ ରହିବେ। ତିନି ନେତାଙ୍କ ସହ ଆଲୋଚନା ପରେ ବିଜେପି ବିଧାୟକ ଦଳ ବୈଠକ ବସିବ, ଯେଉଁଥିରେ ବିଧାୟକ ଦଳର ନେତା ଚୟନ କରାଯିବ। ଏହାପରେ ସେହି ନେତାଙ୍କୁ ମହାଯୁତି ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ କରାଯିବ। ଏହାପରେ ମେଣ୍ଟ ବିଧାୟକ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାବିସଙ୍କ ନାମ ଚୂଡ଼ାନ୍ତ କରିସାରିଛି ବୋଲି କେତେକ ସୂତ୍ରରୁ ଖବର ମିଳିଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ଚମତ୍କାର ପ୍ରଦର୍ଶନ କରିଛି। ୨୮୮ଆସନରୁ ୨୩୫ଟି ଆସନରେ ବିଜୟୀ ହୋଇ ଏହା ରେକର୍ଡ କରିଛି। ମହାମେଣ୍ଟର ସହଯୋଗୀ ଦଳ ବିଜେପି ସର୍ବାଧିକ ୧୩୨ଟି ଆସନ ଜିତିଥିବା ବେଳେ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୫୭ଟି ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ୪୧ଟି ଆସନରେ ବିଜୟୀ ହୋଇଛି।