ସିଞ୍ଜୋ ଆବେଙ୍କ ମରଶରୀର ଟୋକିଓରେ ପହଞ୍ଚିଲା, ମଙ୍ଗଳବାର ଶେଷକୃତ୍ୟ

ହତ୍ୟାକାରୀ ପ୍ରଥମେ ଜଣେ ଧର୍ମଗୁରୁଙ୍କୁ ମାରିବାକୁ ଯୋଜନା କରିଥିଲା

ଟୋକିଓ: ପଶ୍ଚିମ ଜାପାନର ନାରା ସହରରେ ନିର୍ବାଚନୀ ଭାଷଣ ଦେବା ସମୟରେ ଶୁକ୍ରବାର ନୃଶଂସ ହତ୍ୟାର ଶିକାର ହୋଇଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମର ଶରୀର ଶନିବାର ଦିନ ଆସି ତାଙ୍କ ଜନ୍ମିତ ସହର ତଥା ରାଜଧାନୀ ଟୋକିଓରେ ପହଞ୍ଚିଛି। ତାଙ୍କ ପତ୍ନୀ ଆକି ନାରାରୁ ସ୍ବାମୀଙ୍କ ମରଶରୀର ସାଙ୍ଗରେ ଆଣି ଟୋକିଓ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ମଧ୍ୟ ଆବେଙ୍କ ବାସଭବନରେ ପହଞ୍ଚିଛନ୍ତି। ସୋମବାର ରାତିରେ ସମସ୍ତେ ଉଜାଗର ରହିବେ ଏବଂ ମଙ୍ଗଳବାର ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ ବୋଲି ଖବରରୁ ଜଣାପଡ଼ିଛି। ଇତିମଧ୍ୟରେ ଆବେଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ନାରା-ନିବାସୀ ଟେତସୁୟା ୟାମାଗାମି (୪୧)ଙ୍କୁ ପୁଲିସ ଜେରା କରୁଛି। ଅନ୍ତର୍ଜାତୀୟ ନେତାମାନେ ଶୋକ ପ୍ରକାଶ କରିବା ସହ ଆବେଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସୂଚନା ଅନୁସାରେ ଗିରଫ ଆସାମୀ ଜଣକ ଜାପାନ ନୌବାହିନୀରେ ତିନିବର୍ଷ ଚାକିରି କରିଥିଲା। ତେବେ ସେ କାହିଁକି ଆବେଙ୍କୁ ହତ୍ୟା କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ହତ୍ୟାକାରୀ ପ୍ରଥମେ ଜଣେ ଧର୍ମଗୁରୁଙ୍କୁ ମାରିବାକୁ ଯୋଜନା କରିଥିଲା
ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନାରା ସହରରେ ଗୁଳିକରି ହତ୍ୟା କରିଥିବା ୪୧ ବର୍ଷୀୟ ଟେତସୁୟା ୟାମାଗାମି ପୁଲିସ ଜେରା ସମୟରେ କହିଛି ଯେ, ପ୍ରଥମେ ଜଣେ ଧାର୍ମିକ ନେତାଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିଲା। ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସଂଗଠନ ଉପରେ ତା’ର ରାଗ ଥିଲା। ସେ ଯେଉଁ ଧର୍ମ ସମ୍ପ୍ରଦାୟକୁ ଇଙ୍ଗିତ କରୁଛି, ସେହି ସମ୍ପ୍ରଦାୟ ସହ ଆବେଙ୍କର କିଛି ସମ୍ପର୍କ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଗିରଫ ୟାମାଗାମି କେଉଁ ଧର୍ମଗୁରୁଙ୍କୁ ହତ୍ୟା କରିବାକୁ ଚାହୁଥିଲା, ତାହା ପୁଲିସ ଚିହ୍ନଟ କରିପାରି ନାହିଁ।

ସମ୍ବନ୍ଧିତ ଖବର