ସି‌ଞ୍ଜୋଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନ

ନୂଆଦିଲ୍ଲୀ : ଜା‌ପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଆଜି ନିର୍ବାଚନୀ ପ୍ରଚାର ସମୟ‌‌ରେ ଗୁଳି କରି ହତ୍ୟା କରାଯାଇଛି। ପଶ୍ଚିମ ଜାପାନର ନାରାରେ ସିଂଜୋ ଆବେ ଆଜି ନିର୍ବାଚନୀ ଭାଷଣ ଦେଉଥିବାବେଳେ ପଛପଟୁ ତାଙ୍କ ଦେହରେ ୨ଟି ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ସେ ତଳେ ପଡ଼ିଗଲେ। ତାଙ୍କୁ ହସ୍ପିଟାଲ୍‌ ନେଇ ଚିକିତ୍ସା କରାଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି।

ସିଂଜୋ ଆବେ ଏକ ଶକ୍ତିଶାଳୀ ରାଜନୈତିକ ପରିବାରରୁ ଆସିଥି‌ଲେ। ଦୀର୍ଘ ଦଶନ୍ଧି ଧରି ତାଙ୍କ ପରିବାର ରାଜନୀତିରେ ରହିଛନ୍ତି। ସିଂଜୋ ଆବେଙ୍କ ଜେଜେବାପା ୧୯୫୭ରୁ ୧୯୬୦ ମଧ୍ୟରେ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଆବେଙ୍କ ବାପା ବିଦେଶ ମନ୍ତ୍ରୀ ଥିଲେ। ସିଂଜୋ ଆବେଙ୍କ ବାପାଙ୍କ ମୃତ୍ୟୁ ପରେ ୧୯୯୩ ରେ ଆବେ ସାଧାରଣ ନିର୍ବାଚନ ଲଢ଼ିଥିଲେ। ସେବେଠାରୁ ସେ ଜାପାନ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ବନିଥିଲେ। ସିଂଜୋ ଆବେ ୨ ଥର ଜାପାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୦୬ରୁ ୨୦୦୭ ଏବଂ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ସିଂଜୋ ଆବେ ପ୍ରଧାନମନ୍ତ୍ରୀ ଥିଲେ। ୨୦୦୬ରେ ସେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିଲେ। ୫୨ ବର୍ଷରେ ସେ ଜାପାନର ସର୍ବକନିଷ୍ଠ ଯୁଦ୍ଧ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଥିଲେ। ଅର୍ଥାତ୍‌ ସିଂଜୋ ଆବେ ହେଉଛନ୍ତି ପ୍ରଥମ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଯିଏ କି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜନ୍ମ ହୋଇଛନ୍ତି। ଏହାର ବର୍ଷକ ପରେ ଆବେ ଇସ୍ତଫା ଦେଇଥିଲେ। କିନ୍ତୁ ୨୦୧୨ରେ ଆବେଙ୍କ ଏଲଡିପି (ଲିବରାଲ ଡିମୋକ୍ରାଟିକ୍‌ ପାର୍ଟି) ବିପୁଳ ବିଜୟ ହାସଲ କରିଥିଲା। ଏଥିସହ ଆବେ ପୁଣିଥରେ ଜାପାନର ପ୍ରଧାନମନ୍ତ୍ରୀ ହେଲେ। ସିଂଜୋ ଆବ‌େ ତାଙ୍କ ଆବେନୋମିକ୍ସ ପଲିସି ପାଇଁ ବେଶ୍‌ ଜଣାଶୁଣା। ଜାପାନର ଅର୍ଥନୀତି ସୁଦୃଢ଼ କରିବାପାଇଁ ଆବେଙ୍କର ଏହି ‌ ଆବେନୋମିକ୍ସ ପଲିସି ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଥିଲା।

୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ପ୍ରା‌ୟ ୮ ବର୍ଷ ପଦରେ ରହି ଆବେ ଦେଶର ସବୁଠୁ ଦୀର୍ଘଦିନର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ସିଂଜୋ ଆବେ ସ୍ବାସ୍ଥ୍ୟ ସମସ୍ୟା ପାଇଁ ୨୦୨୦ରେ ଇସ୍ତଫା ଦେଇଥିଲେ। ସିଂଜୋ ଆବେ ଆକି ଆବେଙ୍କୁ ବିବାହ କରିଛନ୍ତି। ସେମାନଙ୍କର କୌଣସି ସନ୍ତାନ ନାହିଁ।

ଆବେଙ୍କ ଜୀବନ ଏବଂ କ୍ୟାରିୟରରେ କିଛି ଗୁରୁତ୍ବପୂର୍ଣ୍ଣ ତାରିଖ
ସେପ୍ଟେମ୍ବର ୨୧, ୧୯୫୪ : ଟୋକିଓରେ ସିଂଜୋ ଆବେ ଜନ୍ମ ହେଲେ। ତାଙ୍କ ବାପାଙ୍କ ନାଁ ଶିନ୍ତାରୋ‌ ଆବେ ଏବଂ ଜେଜେବାପାଙ୍କ ନାଁ ନୋବୁସୁକେ କିଶି। ବାପା ବିଦେଶ ମନ୍ତ୍ରୀ ଥିଲେ ଏବଂ ଜେଜେ ବାପା ପ୍ରଧାନମନ୍ତ୍ରୀ ଥିଲେ।
୧୯୭୭ : ଟୋକିଓର ସେକେଇ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କଲେ। ଏହାପରେ ପବ୍ଲିକ୍‌ ପଲିସି ବିଷୟରେ ଅଧ୍ୟୟନ ପାଇଁ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଗଲେ
୧୯୭୯ : କୋବେ ଷ୍ଟିଲ୍‌ରେ କାମ ଆରମ୍ଭ କଲେ
୧୯୮୨ : କୋବେ ଷ୍ଟିଲ ଛାଡ଼ି ସେ ଏଲ୍‌ଡିପି (ଲିବରାଲ୍‌ ଡିମୋକ୍ରାଟିକ୍‌ ପାର୍ଟି) ନେତା ଭାବେ ବିଦେଶ ମନ୍ତ୍ରାଳୟରେ ଏକ ନୂଆ ଦାୟିତ୍ବରେ ରହିଲେ।
୧୯୯୩ : ପ୍ରଥମ ସାଧାରଣ ନିର୍ବାଚନ ଲଢ଼ିଲେ
୨୦୦୫ : ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ଅଧୀନରେ ଆବେ ମୁଖ୍ୟ କ୍ୟାବିନେଟ୍‌ ସଚିବ ‌ନିଯୁକ୍ତ ହେଲେ।
ସେପ୍ଟେମ୍ବର ୨୬, ୨୦୦୬ : ସିଂଜୋ ଆବେ ପ୍ରଥମ ଥର ପାଇଁ ଜାପାନର ପ୍ରଧାନମନ୍ତ୍ରୀ ହେଲେ
୨୦୦୭ : ୫୨ ବର୍ଷରେ ପ୍ରଥମ ଥର ପାଇଁ ଏଲ୍‌ଡିପି କ୍ଷମତା ହାରିଲା ଏବଂ ଆବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ
୨୦୧୨ : ସିଂଜୋ ଆବେ ପୁଣିଥ‌ରେ ପ୍ରଧାନମନ୍ତ୍ରୀ ହେଲେ
୨୦୧୩ : ‘ଆବେ‌ନୋମିକ୍ସ’ ପଲିସି ଆରମ୍ଭ କଲେ
୨୦୧୪-୨୦୨୦ : ଏଲ୍‌ଡିପି ନେତା ଭାବେ ପୁନଃ ନିର୍ବାଚିତ ହେଲେ ।
ଅଗଷ୍ଟ ୨୮, ୨୦୨୦ : ସ୍ବାସ୍ଥ୍ୟଗତ କାରଣ ପାଇଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ।

 

ସମ୍ବନ୍ଧିତ ଖବର