ସୁଏଜ କେନାଲରୁ ହଟିଗଲା ଜାହାଜ, ତଥାପି ଜାହାଜର ଭାରତୀୟ କର୍ମଚାରୀଙ୍କ ଉପରେ ହୋଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ

କାଏରୋ: ବହୁ ସମୟର କସରତ ପରେ ଶେଷରେ ସୁଏଜ କେନାଲରେ ଫସିଥିବା ଜାହାଜ ଏଭରଗ୍ରୀନକୁ ହଟାଇବା ସମ୍ଭବ ହୋଇପାରିଛି | ତେବେ ଏଭରଗ୍ରୀନ୍ ଜାହାଜକୁ ବର୍ତ୍ତମାନ ବୋଟ ଦ୍ୱାରା ଟଣାଯାଉଛି | ଜାହାଜକୁ ଫସିଥିବା ସ୍ଥାନରୁ ହଟାଇବାକୁ ସୁଏଜ କେନାଲ କର୍ତ୍ତୃପକ୍ଷ ବିଶାଳ ଖନନ ଯନ୍ତ୍ର ସାହାଯ୍ୟରେ ଜାହାଜର ତଳଭାଗରୁ ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୨୦ ହଜାର ଟନ୍ ବାଲି ବାହାର କରିଥିଲେ । ଏହା ପରେ ପ୍ରାୟ ୧୪ଟି ଟଗ୍ ବୋଟ ସାହାଯ୍ୟରେ, ଏହି ବିଶାଳ କଣ୍ଟେନର ଜାହାଜକୁ ସିଧା କରି ତା’ପରେ ଟଣାଯାଇଛି |

ଏହି ଜାହାଜ ପ୍ରାୟ ଏକ ସପ୍ତାହ ଧରି କେନାଲରେ ଅଟକି ରହିଥିଲା ​​| ତେବେ ବଡ କଥା ଯେ ବର୍ତ୍ତମାନ ଏହି ଜାହାଜରେ ଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ | ଆଉ ଏହି କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି | ଜାହାଜରେ ଥିବା ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୫ ଜଣ ଭାରତୀୟ ଥିବାବେଳେ ଏମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ |

ମିଳିଥିବା ସୂଚନା ମୁତାବକ ଜାହାଜର କ୍ୟାପଟେନ ଓ କ୍ରୁ ମେମ୍ବରଙ୍କ ଉପରେ ଅପରାଧିକ ମାମଲା ରୁଜୁ କରାଯାଇପାରେ | ଆଉ କ୍ୟାପଟେନଙ୍କ ସମେତ ଅନ୍ୟ କ୍ରୁ ମେମ୍ବର ଭବିଷ୍ୟତରେ ଆଉ କାମ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇପାରେ | କୁହାଯାଉଛି ଯେ ଯେ ପର୍ଯ୍ୟନ୍ତ ଘଟଣାର ତଦନ୍ତ ନ ସରିଛି ସେ ପର୍ଯ୍ୟନ୍ତ ସମସ୍ତ କ୍ରୁ ମେମ୍ବର ଓ କ୍ୟାପଟେନଙ୍କୁ ଅଟକ ରଖାଯିବ |

ସମ୍ବନ୍ଧିତ ଖବର