ଜାହାଜ ଚଳାଚଳ ଉପରେ ଟିକସ ୭୦% ହ୍ରାସ ପାଇବ

ନୂଆଦିଲ୍ଲୀ : କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ କ୍ରୁଜ ସିପ୍‌ଗୁଡିକ ପାଇଁ ତାରିଫ ହାରକୁ ସରଳ ଓ ଯୁକ୍ତିଯୁକ୍ତ କରିଛି । ଏହାର ତୁରନ୍ତ ଅନୁକୂଳ ପ୍ରଭାବ ବନ୍ଦରଗୁଡିକରେ ଆଦାୟ ହେଉଥିବା କ୍ରୁଜ ଭଡ଼ା ଉପରେ ପଡିଛି। ବନ୍ଦରଗୁଡିକରେ ଏସବୁ ଜାହାଜ ଚଳାଚଳ ଉପରେ ଯେଉଁ ଟିକସ ଆଦାୟ କରାଯାଉଥିଲା, ତାହା ୬୦ରୁ ୭୦ ଶତାଂଶ ଯାଏଁ କମିବ । ଏହା ଫଳରେ ଦେଶର କ୍ରୁଜ ଉଦ୍ୟୋଗ ବିଶେଷ ଉପକୃତ ହେବ । କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ବିଭିନ୍ନ ଆର୍ଥିକ କ୍ଷେତ୍ରକୁ ସହାୟତା କରିବା ପାଇଁ ସରକାର ଯେଉଁ ନୀତି ପ୍ରଣୟନ କରିଛନ୍ତି ତଦନୁସାରେ ଏହି ପଦକ୍ଷେପ ନିଆଯାଇଛି ।

ସାଂପ୍ରତିକ କରୋନା ମହାମାରୀ ଦ୍ୱାରା ଭାରତର କ୍ରୁଜ ଉଦ୍ୟୋଗ ଏବଂ ଜାହାଜ ଚଳାଚଳ ବେପାର ବିଶେଷଭାବେ ପ୍ରଭାବିତ ହୋଇଛି । ପର୍ଯ୍ୟଟନର ବିକାଶ ସହ ଏହି ଉଦ୍ୟୋଗର ଅଭିବୃଦ୍ଧି ନିମନ୍ତେ ସରକାର ଏହି ଆର୍ଥିକ ରିଆତି ସୁବିଧା ଯୋଗାଇ ଦେଇଛନ୍ତି । ୨୦୧୪ରୁ ଜାହାଜ ଚଳାଚଳ ମନ୍ତ୍ରାଳୟ ଏହି ଉଦ୍ୟୋଗକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇଆସୁଛି । ଫଳରେ ଭାରତକୁ କ୍ରୁଜସିପ୍‌ର ଆଗମନ (କଲ୍‌) କ୍ରମଶଃ ବଢୁଛି । ୨୦୧୫ରେ ଭାରତକୁ ୧୨୮ଟି କ୍ରୁଜସିପ୍‌ ଆସିଥିବାବେଳେ ୨୦୧୯-୨୦ରେ ଏହା ୫୯୩କୁ ବୃଦ୍ଧି ପାଇଥିଲା । ସରକାରଙ୍କ ନୂଆ ପଦକ୍ଷେପ ଫଳରେ ଭାରତୀୟ ବନ୍ଦରଗୁଡିକୁ ଏଣିକି ଅଧିକରୁ ଅଧିକ କ୍ରୁଜ ଜାହାଜ ଆସିବ ବୋଲି ଆଶା କରାଯାଉଛି । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର