ଶିରିଡ଼ି ବନ୍ଦକୁ ସାମୟିକଭାବେ ପ୍ରତ୍ୟାହାର କଲେ ଆନ୍ଦୋଳନକାରୀ, ମୁଖ୍ୟମନ୍ତ୍ରୀ ବୟାନ ପ୍ରତ୍ୟାହାର ନ କରିଲେ ପୁଣି ଆନ୍ଦୋଳନର ଚେତାବନୀ !

ଶିରିଡ଼ି : ଶିରିଡ଼ି ବନ୍ଦ ଆନ୍ଦୋଳନକୁ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରତ୍ୟାହାର କରି ନିଆଇଥିବା ଜଣାଯାଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହାକୁ ସାମୟିକଭାବେ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନକୁ ଆଜି ପ୍ରତ୍ୟାହାର ନ କରିଲେ ପୁଣି ଆନ୍ଦୋଳନ ଚାଲିବ ବୋଲି ଶିରିଡ଼ିର ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି।

image source-navbharattimes

ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନକୁ ନେଇ ଶିରିଡ଼ିରେ ଜୋରଦାର ବିରୋଧ କରାଯାଇଛି। ଗତକାଲି ଶିରିଡ଼ି ବଜାର ସଂପୂର୍ଣ୍ଣ ବନ୍ଦ ଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ କରୁନଥିଲା। ପଥରି ସହରକୁ ମୁଖ୍ୟମନ୍ତ୍ରୀ ଠାକରେ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି ଦର୍ଶାଇ ସେଠାରେ ବିକାଶ ନିମନ୍ତେ ୧୦୦ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିବା ପରେ ଶିରିଡ଼ିବାସୀ ଏହାର ପ୍ରବଳ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବୟାନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶିରିଡ଼ିର ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି। ବିବାଦୀୟ ବୟାନକୁ ନେଇ ଉଦ୍ଧବଙ୍କ ସମସ୍ୟା ବଢ଼ୁଥିବା ବେଳେ ଏହି ମାମଲାରେ ସମାଧାନର ରାସ୍ତା ଖୋଜିବାକୁ ଆଜି ସରକାର ତତ୍ପରତା ଦେଖାଇଛନ୍ତି।

ଏହି ବିବାଦର ସମାଧାନ ପାଇଁ ଆଜିସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ଆଜି ଶିରିଡ଼ି ବନ୍ଦକୁ ସମସ୍ତ ବାସିନ୍ଦା ସ୍ପତଃସ୍ଫୁର୍ତ୍ତ ସମର୍ଥନ ଦେଇଛନ୍ତି ଏବଂ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ତେବେ ସାଇ ମନ୍ଦିର ଖୋଲା ରହିବା ସହ ଦର୍ଶନ ପାଇଁ ଅନୁମତି ଥିଲା ଏବଂ ‘ପ୍ରସାଦାଳୟ’ ମଧ୍ୟ ଖୋଲା ଥିଲା ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

image source-amarujala

ଉଦ୍ଧବ ଠାକରେଙ୍କ ବୟାନକୁ ଏବେ ଦଳ ମଧ୍ୟରେ ବି ବିରୋଧ କରାଯାଉଛି । ଶିବସେନା ସାଂସଦ ସଦାଶିବ ଲୋଖଣ୍ଡେ କହିଛନ୍ତି ଯେ ଶିରିଡ଼ିବାସୀଙ୍କ ଆନ୍ଦୋଳନକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ଜନ୍ମସ୍ଥାନକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଗତକାଲି ସାଇ ଭକ୍ତମାନେ ବିଭିନ୍ନ ସ୍ଥାନରେ ରାଲି ଆୟୋଜନ କରି ଉଦ୍ଧବଙ୍କ ବୟାନକୁ ବିରୋଧ କରିଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ଉଦ୍ଧବଙ୍କ ବୟାନକୁ ନେଇ ବିରୋଧ ତେଜୁଥିବାରୁ ଆଜି ସେ ତାଙ୍କ ବୟାନ ପ୍ରତ୍ୟାହାର କରିପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର