ନୂଆଦିଲ୍ଲୀ:  ଶିରିଡି ସାଇ ବାବା ମନ୍ଦିରକୁ ବିପୁଳ ପରିମାଣର ଦାନ ମିଳିବା କୌଣସି ନୂଆ କଥା ନୁହେଁ, କିନ୍ତୁ ଜଣେ ବ୍ୟକ୍ତି ଦେଇଥିବା ଦାନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଉକ୍ତ ସାଇ ଭକ୍ତଜଣକ ନିଜ ନାମ ‌‌ଗୋପନ ରଖି ଗୁରୁବାର ଦିନ ଗୁରୁ ପୂର୍ଣ୍ଣିମା ଅବସରରେ ସାଇ ବାବାଙ୍କ ମନ୍ଦିରରେ ଥିବା ଦାନ ବାକ୍ସରେ ପ୍ରାୟ ୬୫ ଲକ୍ଷ ଟଙ୍କାର ଅଳଙ୍କାର ଦାନ କରିଛନ୍ତି। 

Advertisment

ଗୁରୁ ପୂର୍ଣ୍ଣିମା ଦିନ ସାଇ ବାବାଙ୍କୁ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ଲାଗିଥିଲ। ଭକ୍ତମାନେ ୫ରୁ ୬ ଘଣ୍ଟା ଧାଡ଼ିରେ ଠିଆ ହେବା ପରେ ହିଁ ସାଇ ବାବାଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ସାଇ ଟ୍ରଷ୍ଟ ଶିରିଡିର ସିଇଓ ଗୋରକ୍ଷ ଗାଦିଲକର କହିଛନ୍ତି,‘ ଗୁରୁ ପୂର୍ଣ୍ଣିମା ଦିନ ଜଣେ ଅଜଣା ଦାତା ପ୍ରାୟ ୬୫ ଲକ୍ଷ ଟଙ୍କାର ଅଳଙ୍କାର ଦାନ କରିଛନ୍ତି। ଏହି ଦାନ ମଧ୍ୟରେ ୫୬୬ ଗ୍ରାମର ଏକ ସୁନାରେ ତିଆରି ମୁକୁଟ ରହିଛି। ଯାହାର ବର୍ତ୍ତମାନ ବଜାର ମୂଲ୍ୟ ପ୍ରାୟ ୫୯ଲକ୍ଷ ଟଙ୍କା ରହିଛି। ଏହା ବ୍ୟତୀତ ଦାନ କରାଯାଇଥିବା ଅଳଙ୍କାରରେ ୫୪ ଗ୍ରାମ ଓଜନର ସୁନାର  ଫୁଲ ଏବଂ ୨ କିଲୋଗ୍ରାମ ଓଜନର ଏକ ରୂପା ହାର ମଧ୍ୟ ରହିଛି। 

ଏହା କେବଳ ଆର୍ଥିକ ଦୃଷ୍ଟିକୋଣରୁ ଏକ ମୂଲ୍ୟବାନ ଦାନ ନୁହେଁ, ବରଂ ଗଭୀର ଭକ୍ତି ଏବଂ ଶ୍ରଦ୍ଧାର ପ୍ରତୀକ ଅଟେ। ପ୍ରଦାନ କରାଯାଇଥିବା ମୁକୁଟ ଏବଂ ହାର କେବଳ ଧାତୁ ନୁହେଁ, ବରଂ ସେହି ସାଇ ଭକ୍ତଙ୍କ ଭକ୍ତି ଏବଂ କୃତଜ୍ଞତାର ପ୍ରମାଣ ଅଟେ।

୧୯୦୮ ମସିହାରୁ ଶିରିଡି ସାଇ ମନ୍ଦିରରେ ପ୍ରତିବର୍ଷ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଉଛି। ଏହି ଦିନ ସାରା ଦେଶରୁ ଆସୁଥିବା ଭକ୍ତମାନେ ମନ୍ଦିରକୁ କିଛି ନା କିଛି ଦାନ କରିଥାଆନ୍ତି। କେବଳ ଦେଶ ନୁହେଁ ବରଂ ବିଦେଶରୁ ମଧ୍ୟ ଭକ୍ତମାନେ ସାଇବାବାଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ’